ଖଣ୍ଡେକୁ ୫ଶହରୁ ୨ହଜାର:ଡମୋଳରେ ରେସନ କାର୍ଡ଼ ଦଲାଲି

o ଟଙ୍କା ନ ଦେଲେ କାର୍ଡ଼ ଫେରସ୍ତ, ତାତିଲେ ମହିଳାo ବ୍ଲକରେ ବିକ୍ଷୋଭ, ବିଡିଓ କହିଲେ ତଦନ୍ତ ହେବ

ପର୍ଜଙ୍ଗ: ରେସନ କାର୍ଡ଼ ବଣ୍ଟରେ ପଦାକୁ ଆସିଛି ଦଲାଲି। ସରକାର ଇସ୍ୟୁ କରିଥିବା କାର୍ଡ଼ ବାଣ୍ଟିବା ପାଇଁ ଗରିବ ଲୋକଙ୍କଠାରୁ ମଗାଯାଉଛି ୫ଶହରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ଚାନ୍ଦା। ଟଙ୍କା ନ ଦେଲେ କାର୍ଡ଼ ଦିଆଯାଉନି। ବରଂ ହାତରୁ ଫେରାଇ ନିଆଯାଉଛି। ପର୍ଜଙ୍ଗ ବ୍ଲକ ଡମୋଳ ଗାଁର ମହିଳା ହିତାଧିକାରୀମାନେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧୃବ ନାୟକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କେବଳ ଅଭିଯୋଗ କରିନାହାନ୍ତି, ଏହାର ପ୍ରତିବାଦ‌େର ଆଜି ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ଏହାର ତଦନ୍ତ ଦାବି କରିଛନ୍ତି। ମହିଳାଙ୍କ କହିବା ଅନୁସାରେ, ଗାଁ ଲୋକଙ୍କ ନାଁରେ ସରକାର ରେସନ କାର୍ଡ଼ ଇସ୍ୟୁ କରିଥିବା ବେଳେ ନିର୍ବାହୀ ଅଧିକାରୀଙ୍କ ଶାଳକ ଘର ଘର ବୁଲି କାର୍ଡ଼ ବାଣ୍ଟିଥିଲେ। କାର୍ଡ଼ ପିଛା ମାଗିଥିଲେ ଟଙ୍କା। ୨୨ଜଣଙ୍କୁ କାର୍ଡ଼ ବଣ୍ଟା ଯାଇଥିବା ବେଳେ ଟଙ୍କା ନ ଦେବାରୁ ୧୧ଟି କାର୍ଡ଼ ଫେରାଇ ନେଇଛନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି। ସେହିପରି ଟଙ୍କା ନ ଦେବାରୁ ତାଲିକାରୁ ନାଁ କାଟି ଦିଆଯାଇଛି ବୋଲି ଜ୍ୟୋତ୍ସ୍ନାରାଣୀ ଭୂୟାଁ, ପ୍ରମିଳା ପରିଡ଼ା, ସରସ୍ବତୀ ପରିଡ଼ା, ଶିବାନୀ ସାମଲ ଅଭିଯୋଗ କରିଛନ୍ତି। ଗାଁର ଅଜିତ୍ ପରିଡ଼ା ଶାରୀରିକ ଅକ୍ଷମ ହୋଇଥିବା ବେଳେ ମାନସିକ ରୋଗୀ ଅତିସ ପରିଡ଼ାଙ୍କୁ ବି ଏଥିରୁ ବାଦ୍ ଦିଆଯାଇଛି।

ହଜାରେ ଟଙ୍କା ପରିବର୍ତ୍ତେ ୫ଶହ ଟଙ୍କା ଲାଞ୍ଚ ଦେବାରୁ ନୂଆ କାର୍ଡ଼ ତାଙ୍କଠାରୁ ଫେରାଇ ନିଆଯାଇଛି ବୋଲି ଗାଁର ସୁମିତ୍ରା ବେହେରା ଅଭିଯୋଗ କରିଥିବା ବେଳେ ପୁଷ୍ପ ବଳ, ଭୁବନେଶ୍ବରୀ ବଳ, ଜାନକୀ ପରିଡ଼ା, ବିଧବା ମହିଳା ଚିନା ଜେନା କିଛି ମାସ ଚାଉଳ ପାଇଲା ପରେ ତାଙ୍କର ରେସନ କାର୍ଡ଼ କାଟି ଦିଆଯାଇଛି ବୋଲି ସେମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ପଞ୍ଚାୟତରେ ସମୁଦାୟ ୩୩ଟି କାର୍ଡ଼ ଇସ୍ୟୁ ହୋଇଥିଲା। ମୋ ଶାଳକ ପଞ୍ଚାୟତରେ ପିଅନ ଅଛନ୍ତି। ସେ ମାତ୍ର ୫/୬ଟି କାର୍ଡ଼ ବାଣ୍ଟିଥିବା ବେଳେ କିଛି କାର୍ଡ଼ ମୁଁ ଲୋକଙ୍କୁ ଡାକି ନିଜେ ବାଣ୍ଟିଛି। ସେଥିରୁ ୧୧ଟି କାର୍ଡ଼କୁ ଫେରାଇ ନିଆଯାଇଛି ବୋଲି ଶ୍ରୀ ନାୟକ ସ୍ବୀକାର କରିଛନ୍ତି। ନୂଆ ପଞ୍ଚାୟତରେ କାହାକୁ ପିଅନ ନିଯୁକ୍ତ କରାଯାଇ ନ ଥିବା ବେଳେ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଜ ଶାଳକଙ୍କୁ ନିଜେ ପିଅନ ଭାବେ ନିଯୁକ୍ତ କରି ଲୋକଙ୍କଠାରୁ ଲାଞ୍ଚ ଆଦାୟ କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ଏଭଳି ଅଭିଯୋଗର ତଦନ୍ତ କରାଯିବ ବୋଲି ବିଡିଓ ବସନ୍ତ ମଲ୍ଲିକ କହିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର