କ୍ରସରର ବଙ୍କର ଭୁଶୁଡ଼ି ୫୨ ବର୍ଷୀୟ ଅପରେଟର ମୃତ

ଓଡ଼ାପଡ଼ା: ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଡିଆକାଟେଣି ଛକ ନିକଟରେ ଦୁର୍ଘଟଣା ଘଟି ଜଣେ କ୍ରସର ଅପରେଟରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। କ୍ରସର ଅପରେଟର ଶିବ ପ୍ରସାଦ ସ୍ବାଇଁ (୫୨ ବର୍ଷ) ସବୁଦିନ ପରି ଆଜି ସକାଳ ୮ଟା ସମୟରେ କ୍ରସରକୁ ଯାଇ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। କ୍ରସର ଚାଲୁଥିବା ସମୟରେ ଏକ ଜେସିପି ମେସିନ ବଙ୍କର ମଧ୍ୟକୁ ସ୍ପଲ ଭର୍ତ୍ତି କରିବା ସମୟରେ ବଙ୍କରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ବଙ୍କର ତଳେ କାର୍ଯ୍ୟ କରୁଥିବା ଅପରେଟର ଶିବପ୍ରସାଦ ସ୍ବାଇଁଙ୍କ ଉପରେ କାନ୍ଥ ପଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରି ଯାଇଥିଲେ ମଧ୍ୟ ମୃତ ଶିବପ୍ରସାଦ ସ୍ବାଇଁଙ୍କର ମୃତଦେହ କ୍ରସର ମଧ୍ୟରେ ପଡିରହିଥିବା ଦେଖିବାକୁ ମିଳିଛି।

ଉକ୍ତ କ୍ରସରଟି ବିମଳ ସାହୁଙ୍କ ନାମରେ ଥିବା ବେଳେ ଦୁଷ୍ମନ୍ତ ପରିଡ଼ା ନାମକ ବ୍ୟକ୍ତି ଭଡ଼ାରେ ନେଇ ତାହାକୁ ଚଳାଉଥିଲେ । ଏହି ଭଳି ଅନେକ କ୍ରସର ଓ ପଥର ଖଣିରେ ଶ୍ରମିକମାନଙ୍କର ଜୀବନ ଚାଲି ଯାଉଥିଲେ ମଧ୍ୟ ଖଣି କ୍ରସର ଓ ପୁଲିସ ମଧ୍ୟରେ ଥିବା ମଧୁଚଦ୍ରିକା ଯୋଗୁ ତାହା ଲୋକଲୋଚନକୁ ଆସିପାରୁ ନଥିବାରୁ ଶ୍ରମିକ ପରିବାର କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରସରରେ ଶ୍ରମିକଙ୍କ ମୃତ ଦେହ ପଡିରହିଥିଲେ ମଧ୍ୟ ମାଲିକ ମାନଙ୍କର ଦେଖା ନ ମିଳିବା ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର