ପର୍ଜଙ୍ଗ ବିଧାନସଭା ନିର୍ବାଚନ କ୍ଷେତ୍ର : ଶଙ୍ଖ, ପଦ୍ମରେ ଏକ; କଂଗ୍ରେସରେ ଅଧ ଡଜନେ

ପର୍ଜଙ୍ଗ, (ସୁବଳ ରାଉତ): ଟିକେଟ୍‌ ବଣ୍ଟାକୁ ନେଇ ଓଡ଼ିଶାର ଅଧିକାଂଶ ନିର୍ବାଚନମଣ୍ଡଳୀ ସ୍ଥିତି ଏବେ ପ୍ରାୟ ଗୋଳିଆ। କିଏ କେଉଁଠୁ ଲଢ଼ିବ ଓ କାହାକୁ ଟିକେଟ୍‌ ବଣ୍ଟାଯିବ ସେଥିପାଇଁ ଆଶାୟୀ-ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀର ସ୍ଥିତି କିନ୍ତୁ ସ୍ଥିର ଆଉ ଥୟ। ଏଠି ମୂଳ ନେତୃତ୍ବ ଆଗରେ ନୂଆ ମୁଣ୍ଡ ଟେକିବାର ବଳ କି ସୁଯୋଗ ନାହିଁ। ତେଣୁ ଶାସକ ବିଜେଡି ପାଇଁ ଟିକେଟ୍‌ ବଣ୍ଟା ବାଟ ପୂରା ସଫା ହୋଇଥିବା ବେଳେ ପଦ୍ମ ଦଳିଆ ପୁରୁଣା ନେତୃତ୍ବକୁ ଭରସି ୨୦୧୯ ମଇଦାନ ଲଢ଼ିବାକୁ ଯାଉଛି। କିନ୍ତୁ ଜଟିଳ ରୂପରେ ଠିଆ ହୋଇଛି କଂଗ୍ରେସ। ବିଜେପି ଓ ବିଜେଡିର କର୍ମୀ ଗୋଟିଏ ଗୋଟିଏ ନେତୃତ୍ବକୁ ସ୍ବୀକାର କରି ନେଇଥିବା ବେଳେ ଅଧ ଡଜନ ଆଶାୟୀ କଂଗ୍ରେସ ରାଜନୀତିକୁ ଗୋଳିଆ କରି ଦେଇଛି।

ଶାସକ ବିଜେଡ଼ି ଟିକେଟ୍‌ ଦୌଡ଼ରେ ଏବେ ସୁଦ୍ଧା ଏକମାତ୍ର ହକ୍‌ଦାର ଅଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ପର୍ଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ। ତାଙ୍କ ରାଜନୈତିକ ଜୀବନ ସ୍ବାଧୀନ ପ୍ରାର୍ଥୀରୁ ଆରମ୍ଭ। ଅଶୀ ଦଶକରେ ସେତେବେଳେ ଅବିଭକ୍ତ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ। ତା’ ପରେ ଜନତା ଦଳ ସହ ମିଶି ପୁଣି ତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ତା’ ପରେ ୧୯୯୦ରେ ହୋଇଥିଲେ ପ୍ରଥମ ବିଧାୟକ। ୧୯୯୫ରେ ସ୍ବଳ୍ପ ଭୋଟ୍‌ରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ତା’ ପରେ ଡେଇଁଥିଲେ ବିଜେପିକୁ। ସ୍ବଳ୍ପ କାଳ ବିଜେପି ନେତା ବୋଲାଇବା ପରେ ପୁଣି ଡେଇଁଥିଲେ କଂଗ୍ରେସକୁ। ୨୦୦୪ମସିହାରେ ଦ୍ବିତୀୟ ଥର ପାଇଁ ହୋଇଥିଲେ କଂଗ୍ରେସର ବିଧାୟକ। ଶାସନରେ ଥାଇ କଂଗ୍ରେସରୁ ସିଧା ଡେଇଁଥିଲେ ବିଜେଡିକୁ। ୨୦୦୯ରୁ ଆଜି ଯାଏ ଲଗାତାର ଦଶନ୍ଧି କାଳ ଶାସନରେ ସେ ରହି ଆସିଛନ୍ତି। ଯଦିଓ ସ୍ବାଧୀନରୁ ଜନତା, ଜାଗ୍ରତ ଓଡ଼ିଶା, ସ୍ବଳ୍ପ କାଳୀନ ବିଜେପି ନେତା, କଂଗ୍ରେସ ବିଧାୟକ ପରେ ଶେଷକୁ ବିଜେଡି ଆଦି ବହୁ ଦଳ ଡିଆଁର ପ୍ରବୃତ୍ତି ତାଙ୍କ ରାଜନୈତିକ କ୍ୟାରିୟରରେ ପରିଲିକ୍ଷିତ ହୋଇଛି, କିନ୍ତୁ ଗତ ଦଶନ୍ଧି ମଧ୍ୟରେ ବିଜେଡିରେ ନିଜ ଚେରକୁ ସେ ସୁଦୃଢ଼ କରିଛନ୍ତି। ଅତୀତରେ ଡାକ୍ତର ସାହୁ ନିଜ ପତ୍ନୀ ଏବଂ ବୋହୂକୁ ନିର୍ବାଚନ ଲଢ଼ାଇଛନ୍ତି। ଜିଲ୍ଲା ପରିଷଦ ସଭ୍ୟା ପଦବି ପାଇଁ ପ୍ରତିଦ୍ବନ୍ଦ୍ବିତା କରାଇଛନ୍ତି। କିନ୍ତୁ ଉଭୟଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସ୍ତ୍ରୀ ଓ ବୋହୂ ପରେ ତାଙ୍କ ବଡ଼ ପୁଅ ଅଜିତ୍‌ ସାହୁ ବିଜେଡି ମଙ୍ଗ ସମ୍ଭାଳିଲେଣି। ପୂର୍ବରୁ ଦଳର ଆଢ଼ୁଆଳରେ ରହି ବାପାଙ୍କ କାମ ତୁଲାଉଥିବା ପୁଅଙ୍କୁ ବିଭିନ୍ନ ସଭା, ସମିତିର ମଞ୍ଚରେ ଏବେ ଦେଖିବାକୁ ମିଳିଲାଣି। ତେଣୁ ମନ୍ତ୍ରୀ ଡାକ୍ତର ସାହୁ ନିର୍ବାଚନରୁ ଓହରିଲେ ତାଙ୍କ ପୁଅଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ପଦ୍ମ ଦଳିଆରେ ଏକକ ନେତୃତ୍ବ କର୍ମୀଙ୍କୁ ଏକତ୍ର କରିଛି। ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କୁ ଦଳ ଏଥର ପ୍ରାର୍ଥୀ କରାଇବ ବୋଲି ଆପାତତଃ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ଦଳ ସୂତ୍ରରୁ ସ୍ପଷ୍ଟ ହୋଇଛି। ପର୍ଜଙ୍ଗ ସ୍ବତନ୍ତ୍ର ନିର୍ବାଚନମଣ୍ଡଳୀ ମାନ୍ୟତା ପାଇବା ପରେ ବିଭୂତିଙ୍କୁ ବିଜେପି ପ୍ରାର୍ଥୀ କରାଇ ଆସୁଛି। ୨୦୦୯ ଏବଂ ୨୦୧୪ରେ ସ୍ବଳ୍ପ ଭୋଟ୍‌ରେ ତାଙ୍କୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା। ଯେହେତୁ ପୂର୍ବ ଅପେକ୍ଷା ଏଥର ଦଳର ସ୍ଥିତି ସୁଦୃଢ଼ ହୋଇଛି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଘର ପାଖ ତଥା ପୂର୍ବ ନିର୍ବାଚନମଣ୍ଡଳୀ ହେତୁ ଦଳ ବିଜୟ ଆଶା ବାନ୍ଧିଛି।

କଂଗ୍ରେସରୁ ପୁରୁଖାଠୁ ନୂଆ ଯେକେହି ପର୍ଜଙ୍ଗରୁ ଏଥର ନିର୍ବାଚନ ଲଢ଼ିବାକୁ ଆଗ୍ରହୀ। ଅନୁଗୁଳରେ ନିଜକୁ ଯୁବନେତା ବୋଲାଉଥିବା ବିମଳ ବେହେରା ପର୍ଜଙ୍ଗରେ ଏଥିପାଇଁ ଡେରା ପକାଇଲେଣି। ସେ ବି ଟିକେଟ୍‌ ଆଶାରେ ଥିବା ବେଳେ ପର୍ଜଙ୍ଗବାସୀ ଅନୁଗୁଳର ଯୁବନେତାଙ୍କୁ କେତେ ଦୂର ଗ୍ରହଣ କରିବେ ସେନେଇ ଟିକେଟ୍‌ ବଣ୍ଟା ପୂର୍ବରୁ ସ୍କ୍ରିନିଂ କମିଟିରେ ବିଚାର ବିମର୍ଶ ଚାଲିଛି। ସେହିପରି ୨୦୧୪ରେ ୧୮ହଜାର ଭୋଟ୍‌ ପାଇଥିବା ସନ୍ତୋଷ ରାଉତ କଂଗ୍ରେସର ଟାଣୁଆ ନେତା ଓ ୨୦୧୪ରେ ସ୍ବାଧୀନ ଭାବେ ଲଢ଼ି ୯ହଜାର ଭୋଟ୍‌ ପାଇଥିବା ବିଶ୍ବତୋଷ ସାହୁ ବି କଂଗ୍ରେସ ଟିକେଟ୍‌ ପାଇଁ ଆଶାୟୀ। ହାଇକୋର୍ଟର ଆଇନଜୀବୀ ରମେଶ ବେହେରାଙ୍କ କାନ୍ଥବାଡ଼ରେ ଲାଗିଥିବା ପୋଷ୍ଟର ଟିକେଟ୍‌ ଆଶାକୁ ବି ଉଜ୍ଜୀବିତ କରିଥିବା ବେଳେ ବିଜେପିର ନିରାକାର ପ୍ରଧାନ କଂଗ୍ରେସରୁ ଲଢ଼ିବାକୁ ଆଶାୟୀ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏଥର ଯଦି ମହିଳା କାର୍ଡ଼ ଖେଳେ ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଯଶସ୍ବିନୀ ରାଉତ ବି ଲଢ଼ି ପାରନ୍ତି ବୋଲି କୁହାଯାଉଛି। ବିଜେପି ନେତା ନିରାକାର ପ୍ରଧାନ କିନ୍ତୁ କଂଗ୍ରେସରୁ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରମୁଖ ପ୍ରାର୍ଥୀ           ଭୋଟ
ବିଜେଡି     ଡା. ନୃସିଂହ ସାହୁ       ୬୦,୫୨୩
ବିଜେପି     ବିଭୂତି ପ୍ରଧାନ          ୫୭,୪୭୧
କଂଗ୍ରେସ    ସନ୍ତୋଷ ରାଉତ        ୧୮,୨୪୦
ନୋଟା                                ୨୨୦୯

ସମ୍ବନ୍ଧିତ ଖବର