ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଯୋରନ୍ଦା: ଯୋରନ୍ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ୍‌ ଅଭାବରୁ ଆଜି ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ, ଯୋରନ୍ଦା ପଞ୍ଚାୟତ ମାଣିତ୍ରୀ ଗାଁର ପଦ୍ମଲାଭ ନାଥ(୭୭)ଙ୍କର ଝାଡ଼ାବାନ୍ତି ହେବାରୁ ତାଙ୍କ ପରିବାର ସଦସ୍ୟ ଦିନ ୧୦ଟାବେଳେ ଏଠାରେ ଭର୍ତିକରିଥିଲେ। ଏହି ସମୟରେ ଡାକ୍ତର ନଥିବାରୁ ଫର୍ମାସିଷ୍ଟ ସୁଶାନ୍ତ ମହାଳିକ ତାଙ୍କର ଚିକିତ୍ସା କରିଥିଲେ। ପଦ୍ମଲାଭ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କର ନାତି ପ୍ରଶାନ୍ତ ନାଥ ଅକ୍ସିଜେନ୍‌ ଲଗାଇବାକୁ ଫାର୍ମାସିଷ୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଡାକ୍ତରଖାନାରେ ୩ଟି ଅକ୍ସିଜେନ୍ ସିଲିଣ୍ଡର ଥିଲେବି ସବୁଗୁଡ଼ିକ ଥିଲା ଖାଲି। କିଛି ସମୟ ପରେ ପଦ୍ମଲାଭଙ୍କର ମୃତ୍ୟୁ ଘଟିଥିଲା। ଅକ୍ସିଜେନ ଅଭାବରୁ ତାଙ୍କ ଜେଜେବାପାଙ୍କ ମୃତ୍ୟୁଘଟିଲା ବୋଲି ପ୍ରଶାନ୍ତ ମୌଖିକ ଅଭିଯୋଗ କରିଥିଲେ। ଡାକ୍ତରଖାନାରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଉତ୍ତେଜନା ପ୍ରକାଶ ପାଇଥିଲା ା ଯୋରନ୍ଦା ଫାଣ୍ତି ଏଏସ୍‌ଆଇ ବିନୟ ସାହୁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏଠାରେ ଥିବା ଡାକ୍ତର ସ୍ବାଧୀନ ରଥ ଡେପୁଟେସନରେ ଆସିଛନ୍ତି। ଡା. ରଥଙ୍କ ଡେପୁଟେସନ ବାତିଲ କରି ଏଠାରେ ନିୟମିତ ଭାବେ ନିଯୁକ୍ତ କରାଯିବାକୁ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ରାଉତ, ସମାଜସେବୀ ଲମ୍ବୋଦର ପରିଡା,ଶରତ ପ୍ରଧାନ,ସୁରେଶ ରାଉତ, ଡମ୍ବରୁଧର ରାଉତ,ପୀତବାସ ରାଉତ,ସାରଙ୍ଗଧର ପ୍ରଧାନ, ସନ୍ତୋଷ ବିଶ୍ବାଳ, ବିଜୟ ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡାକ୍ତରଖାନାରେ କାହିଁକି ଅକ୍ସିଜେନ୍‌ ମହଜୁଦ ରଖାଯାଇନାହିଁ ବୋଲି ଫାର୍ମାସିଷ୍ଟ ଶ୍ରୀ ମହାଳିକ ଓ ଡା. ରଥଙ୍କୁ ପଚାରିବାରୁ ଉଭୟ ନିରବ ରହିଥିଲେ।

ସମ୍ବନ୍ଧିତ ଖବର