ରାସୋଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଇଲାକାରୁ ଧରାପଡିଛନ୍ତି ଆନ୍ତଃଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍। କଟକ ଜିଲ୍ଲା ଚୌଦ୍ୱାର ଥାନା ପୁଲିସ ଓ ରାସୋଳ ଥାନା ପୁଲିସ ମିଳିତ ଭାବେ ଆଜି ଚଢ଼ାଉ କରି ଗ୍ୟାଙ୍ଗ୍ର ମୁଖ୍ୟ ଅଭିଯୁକ୍ତ କଦଳୀପାଳ ଗ୍ରାମର ସଦା ନାଏକଙ୍କୁ ଗିରଫ କରିଥିବା ବେଳେ ଚୋରା ବାଇକ୍ ରଖିବା ସନ୍ଦେହରେ ତେଲିଭୂଇଁ ବଜାରର ଜଣେ ମଟର ସାଇକଲ ଗ୍ୟାରେଜ୍ ଦୋକାନି ଏବଂ ବାଇକ୍ କିଣିବା ଅଭିଯୋଗରେ କଳିଙ୍ଗା ଗ୍ରାମର ଜଣକୁ ଚୌଦ୍ୱାର ଥାନା ପୁଲିସ ଆଜି ଉଠାଇ ନେଇଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ସଦା ବିଭିନ୍ନ ଜିଲ୍ଲାରୁ ଅନେକ ବାଇକ୍ ଚୋରି କରିଛି। ଚୌଦ୍ୱାର ଥାନା ପୁଲିସ କୌଣସି ସୂତ୍ରରୁ ଏହାର ସୁରାକ୍ ପାଇ ଗତକାଲିଠାରୁ ଢେଙ୍କାନାଳରେ ଡେରା ପକାଇଥିଲା ଏବଂ ମୁଖ୍ୟ ଅଭିଯୁକ୍ତ ସଦାକୁ ଗିରଫ କରିବା ପାଇଁ ଆଜି ରାସୋଳ ଥାନା ପୁଲିସ ସହଯୋଗରେ କଦଳୀପାଳରେ ଚଢ଼ାଉ କରିଥିଲା। ସେଠାରୁ ସଦାକୁ ଗିରଫ କରାଯିବା ପରେ ଓଡ଼ାପଡ଼ା ଓ ହିନ୍ଦୋଳର ବିଭିନ୍ନ ଅଞ୍ଚଳରେ ସେ ବିକ୍ରି କରିଥିବା ଚୋରା ବାଇକ୍ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା। ତେଲିଭୂଇଁ ବଜାରର ଏକ ଗ୍ୟାରେଜ୍ରେ ଓ କଳିଙ୍ଗା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସେ ଗାଡ଼ି ବିକ୍ରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ଅଭିଯୁକ୍ତ ସଦାର ବୟାନ୍ ଆଧାରରେ ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଉଠାଇ ନେଇ ପଚରାଉଚରା ଜାରି ରଖିଛି।
ପ୍ରାଥମିକ ତଦନ୍ତରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ଟି ଚୋରା ବାଇକ୍ର ସନ୍ଧାନ ପୁଲିସକୁ ମିଳିଛି। ଚୋରା ବାଇକ୍ ଗୋଟିକୁ ଅଭିଯୁକ୍ତମାନେ ୨୦/୨୫ ହଜାର ଟଙ୍କାରେ ବିକ୍ରି କରିବା ସହ ଇଞ୍ଜିନ୍ ବଦଳାଇ ଅନ୍ୟ ଗାଡ଼ିରେ ଖଞ୍ଜୁଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଚୌଦ୍ୱାର ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର ଓ ରାସୋଳ ଥାନା ଅଧିକାରୀ ସନ୍ତୋଷ କୁମାର ପ୍ରଧାନ ମିଳିତ ଭାବେ ଚଢ଼ାଉ କରି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲେ।