ରାମିଆଳରେ ବାଲିଖୋଳା, ସେତୁକୁ ବିପଦ

କାମାକ୍ଷାନଗର: କାମାକ୍ଷାନଗର ତହସିଲ ରେକୁଳା ନିକଟରେ ରାମିଆଳ ନଦୀରୁ ବେଆଇନ ବ୍ୟାପକ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଫଳରେ ନଦୀ ଉପରେ ନିର୍ମିତ ସେତୁ ପ୍ରତି ବିପଦ ଦେଖାଦେଇଛି। ସୂଚନା ଅନୁଯାୟୀ, ସେତୁଠାରୁ ଅତି କମ୍‌ରେ ୩୦୦ ମିଟର ଦୂରରେ ବାଲିଘାଟ କରାଯିବାର ନିୟମ ରହିଛି। କିନ୍ତୁ ଏଠାରେ ନିୟମକୁ ଆଖିବୁଜି ସେତୁ ପାଖରୁ ଟ୍ରିପ୍‌ ଟ୍ରିପ୍‌ ବାଲି ଚାଲାଣ କରାଯାଉଛି। ଏହି ସେତୁ ଦେଇ ପ୍ରଶାସନିକ ଅଧିକାରୀ, ରାଜନେତା ଯାତାୟାତ କରୁଥିଲେ ବି କାହା ଦୃଷ୍ଟିରେ ଏହା ପଡ଼ୁନାହିଁ। ନଦୀରେ ବାଲି ଘାଟ ଅଛି। କିନ୍ତୁ ସେଠାରୁ ବାଲି ନନେଇ ବେପାରୀମାନେ କିଛି କର୍ମଚାରୀଙ୍କୁ ହାତ କରି ଚାଲାଣ ସହଜ ହେବ ବୋଲି ସେତୁ ପାଖରୁ ଖୋଳୁଛନ୍ତି। ସେହିପରି ମହୁଲପାଳ ନିକଟରେ ଏହି ନଦୀରେ ଘାଟ ନଥିଲେ ମଧ୍ୟ ସେ‌ଠାରୁ ବାଲି ଚାଲାଣ କରାଯାଉଛି। ବେଆଇନ ବାଲି ଚାଲାଣ ଦ୍ବାରା କିଛି କର୍ମଚାରୀଙ୍କ ପକେଟ ଗରମ ହେଉଥିବା ଅଭି‌େଯାଗ ହୋଇଛି। ଅନ୍ୟପକ୍ଷରେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ଏ ସଂପର୍କରେ କାମାକ୍ଷାନଗର ତହସିଲଦାର ସୁଧା˚ଶୁ ମହାନ୍ତିଙ୍କୁ ପଚାରିବାରୁ ଆର୍‌ଆଇଙ୍କ ଦ୍ବାରା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ବେଆଇନ ଭାବେ ବାଲି ଖୋଳା ହେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସେତୁ ନିକଟରେ ବାଲି ଖୋଳାଯିବା ବେଆଇନ ବୋଲି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିବା ସହ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର