ଢେଙ୍ଗାନାଳ: ରେଞ୍ଜରଙ୍କ ଦବଙ୍ଗଗିରି; ଗାଁ ସଭାପତିଙ୍କୁ କାନ ଧରି ଆଣ୍ଠେଇ ଦେଲେ, ଭାଇରାଲ୍‌ ହେଲା ଫଟୋ

ଢେଙ୍ଗାନାଳ: ଢେଙ୍କାନାଳ ମହାବିରରୋଡ୍‌ ରେଞ୍ଜର ପର୍ଜଙ୍ଗ ବ୍ଲକ ଅଁଳାକଟା ଗାଁର ସଭାପତି କୈଳାସ ବେହେରାଙ୍କୁ  ଗାଁ ଦାଣ୍ଡରେ ଆଣ୍ଠେଇ ମାଡ ମାରିଥିବା ଅଭିଯୋଗ ହୋଇଛି। ମହାବିରରୋଡ ରେଞ୍ଜର ସୁବ୍ରତ ବେହେରାଙ୍କ ନିର୍ଦ୍ଦେଶରେ ବନ ବିଭାଗ କର୍ମଚାରୀ ତାଙ୍କୁ ଆଣ୍ଠେଇ ମାଡ ମାରିଥିବା ସୂଚନା ମିଳିଛି।

ଗାଁ ଦାଣ୍ଡରେ ବେଇଜତ କରିବା ପରେ ଗାଁ ସଭାପତି କୈଳାସଙ୍କୁ ଗିରଫ କରି ନେଇ ରେଞ୍ଜ ଅଫିସକୁ ନିଆଯାଇଥିଲା। ଆଉ ସେଠାରେ ରାତି ତମାମ ରେଞ୍ଜ ଅଫିସରେ କୈଳାସଙ୍କୁ ତାଲା ପକାଇ ରଖାଯାଇ ସକାଳେ କୋର୍ଟ ଚାଲାଣ କରାଯାଇଥିଲା। ପୂରା ଘଟଣା ଏହିପରି। ଗତ ଶୁକ୍ରବାର ବାଇଗଣିଆ ଗାଁରେ କିଛି ଶାଗୁଆନ କାଠ ଜବତ କରି ଗାଁ ସଭାପତି କୈଳାସ ବେହେରାଙ୍କୁ ଡକାଇଥିଲେ ରେଞ୍ଜର ସୁବ୍ରତ ବେହେରା। କୈଳାସ ପହଂଚିବା ପରେ, ରେଞ୍ଜର ସୁବ୍ରତ ବେହେରା ତାଙ୍କୁ କାଠ ମାଫିଆ କହି ଏକ ଶକ୍ତ ଚାପୁଡ଼ା ମାରି କାନ ଧରାଇ ଆଣ୍ଠେଇ ଦେଇଥିଲେ।

ସେପଟେ କୈଳାସ ବେହେରାଙ୍କ କହିବା ଅନୁଯାୟୀ ସେ ଡିଏଫଓଙ୍କ କାର୍ଯ୍ୟାଳୟରୁ ଅନୁମତି ନେଇ ଅଂଚଳର ବିଭିନ୍ନ ଲୋକଙ୍କ ବାଡିରୁ ଶାଗୁଆନ ଗଛ କଟାଇ ବିକ୍ରି କରୁଥିଲେ। ହେଲେ ରେଞ୍ଜର କାଠ ମାଫିଆ ଅଭିଯୋଗ ଆଣି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରେଞ୍ଜର ସୁବ୍ରତ ବେହେରା ଅଭିଯୋଗକୁ ଅସ୍ୱୀକାର କରିବା ସହ ଏପରି କିଛି ହୋଇନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର