ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲା:ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

ଢେଙ୍କାନାଳ: ଜଣେ ଭିନ୍ନକ୍ଷମ ନାବାଳିକାକୁ ନିଜର ସଂପର୍କୀୟ ପିଉସା ଦୁଷ୍କର୍ମ କରିଥିବା ମାମଲାର ବିଚାର କରି ଢେଙ୍କାନାଳ ଅତିରିକ୍ତ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ରାଜକିଶୋର ମହାପାତ୍ର ଆଜି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ହଜାର ଟଙ୍କା ଜିରିମନା ଅନାଦେୟରେ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, କଟକ ଚମ୍ପାପୁର ହରିଜନ ସାହିର ରମେଶ ନାଏକ(୩୦) ଗତ ୨୦୧୭ ଫେବ୍ରୁଆରି ୨୨ ତାରିଖରେ ଢେଙ୍କାନାଳ ମହିଷାପାଟ ଗଜମରା ଅଚଂଳରେ ରହୁଥିବା ତାଙ୍କ ସଂପର୍କୀୟ ଶଳା ଘରକୁ ଆସିଥିଲେ। ନିଜ ସ୍ତ୍ରୀର ଦେହ ଖରାପ ଥିବା ଦର୍ଶାଇ ତାଙ୍କୁ ସାହାଯ୍ୟ କରିବା ଲାଗି ପାଠ ପଢୁଥିବା ୧୪ ବର୍ଷର ଭିନ୍ନକ୍ଷମ ଝିଆରିକୁ ୨୩ ତାରିଖ ଦିନ ସେଠାରୁ ନିଜ ଘରକୁ ସାଙ୍ଗରେ ନେଇଯାଇଥିଲେ। ସେହିଦିନ ନାବାଳିକାଙ୍କୁ ନିଜଘର ପାଖରେ ଥିବା ଏକ ଅର୍ଦ୍ଧଭଙ୍ଗା ଘରକୁ ନେଇ ଦୁଷ୍କର୍ମ କରିଥିଲେ । ୨୪ ତାରିଖ ଦିନ ନାବାଳିକାକୁ ଆଣି ଅଧାବାଟରେ ଛାଡି ଚାଲିଯାଇଥିଲେ । ନାବାଳିକା ଝିଅ ଘରକୁ ଫେରି ଦୁଷ୍କର୍ମ ସଂପର୍କରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ନାବାଳିକାଙ୍କ ମା’ ୨୦୧୭ ଫେବ୍ରୁଆରି ୨୬ ତାରିଖରେ ଘଟଣା ସଂପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଟାଉନଥାନା ପୁଲିସ ପୋକ୍ସୋ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ରମେଶ ନାଏକଙ୍କୁ ୨୦୧୭ ମାର୍ଚ ୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ପୋକ୍ସୋ ଜଜ୍ ଶ୍ରୀ ମହାପାତ୍ର ଅଭିଯୁକ୍ତ ରମେଶଙ୍କୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସୁଲେମାନ୍ ଖାଁ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର