ଉପରେ ଭାତ, ତଳେ ଚାଉଳ:ମଧ୍ୟାହ୍ନ ଭୋଜନ ଚାଉଳ ଚାଲାଣ ଅଭିଯୋଗ

ଢେଙ୍କାନାଳ: ସଦର ବ୍ଲକ୍‌ ଡେରାସିଂହ ଉପ୍ରା ସ୍କୁଲ୍‌ରୁ ଗତକାଲି ବାଲ୍‌ଟିରେ ଚାଉଳ ଚାଲାଣ କରାଯାଉଥିଲା ବୋଲି ଆଜି ଗ୍ରାମବାସୀମାନେ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ସ୍କୁଲ୍‌ର ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଏହିପରି ନେଇ ବାହାରେ ବିକ୍ରି କରୁଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ସଂପୃକ୍ତ ଶିକ୍ଷକ ଗତକାଲି ବାଲ୍‌ଟିରେ ଭାତ ଧରି ଗାଁରେ ଯାଉଥିଲେ। ସ୍କୁଲ୍‌ କମିଟି ସଭ୍ୟ ହରିହର ମହାନ୍ତି ତାଙ୍କୁ ଅଟକାଇ ଭାତ କାହିଁକି ନେଉଛ ବୋଲି ପଚାରିଥିଲେ। ମଧ୍ୟାହ୍ନ ଭୋଜନ ଭାତ ବଳିପଡ଼ିବାରୁ ସେ ନେଉଛନ୍ତି ବୋଲି କହିଥିଲେ। କିନ୍ତୁ ବାଲ୍‌ଟି ତନଖି କରିବାରୁ ଭାତ ତଳେ ଚାଉଳ ଥିବା ଦେଖାଯାଇଥିଲା। ବାଲ୍‌ଟିରେ ଚାଉଳ ରଖି ତା’ ଉପରେ ଏକ ଜରି ପକାଇ ଭାତ ନେଉଥିଲେ। ଏ ସଂପର୍କରେ ଗ୍ରାମବାସୀ ସଙ୍ଗେସଙ୍ଗେ ସଦର ଏବିଇଓଙ୍କୁ ଲିଖିତ ଭାବେ ଜଣାଇବା ସହ ଏହାର ନକଲ ବିଇଓଙ୍କୁ ଦେଇଥିଲେ। ଘଟଣାର ତଦନ୍ତ ଚାଲିଥିବା ସଦର ବିଇଓ ନିତ୍ୟାନନ୍ଦ ବାରିକ କହିଛନ୍ତି। ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ଲୋକଙ୍କ ମଧ୍ୟରୁ କେହି ଚାଉଳ ନେଉଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ସେ ପ୍ରକାଶ କରିଛନ୍ତି। କିନ୍ତୁ ଏହି ଘଟଣାରେ ଉକ୍ତ ଶିକ୍ଷକଙ୍କର ସଂପୃକ୍ତିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଦାୟିତ୍ୱ ଏବିଇଓଙ୍କୁ ଦିଆଯାଇଛି। ସେ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ବାରିକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର