ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ ପାଠ ପଚାରି ଅଡୁଆରେ ସରପଞ୍ଚ

କାମାକ୍ଷାନଗର: ସରକାର ନିୟମ କରୁଛନ୍ତି ଆଉ ସେହି ନିୟମକୁ ଭାଙ୍ଗୁଛନ୍ତି ପଂଚାୟତର ଲୋକ ପ୍ରତିନିଧି। ସରକାର କହିଛନ୍ତି ବିଦ୍ୟାଳୟ ଚାଲୁଥିବା ସମୟରେ ଶ୍ରେଣୀଗୃହ ଭିତରକୁ ଯାଇ କେହି ବି ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ । କେବଳ ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ରହିବେ। ସେଥିରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାଇବୋଲ ପଂଚାୟତର ଡେଙ୍ଗାବାହାଳି ସ୍କୁଲରେ।

ସରପଞ୍ଚ ଶାନ୍ତନୁ କୁମାର ସାହୁ ବିଦ୍ୟାଳୟକୁ ଯାଇ ଶ୍ରେଣୀ ଗୃହ ଭିତରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସାଙ୍ଗକୁ କିଛି ଜାଣି ନଥିବା କହୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏପଟେ ଏହି ଭିଡିଓ ଉପରେ ସରପଞ୍ଚ ଶାନ୍ତନୁ ସାହୁ କହିଛନ୍ତି କି ତାଲିମ ଦିଆଯାଇଥିଲା, ତଦାରଖ କରିବା ପାଇଁ ସେହି ଆଧାରରେ ରିଶେଷ ସମୟରେ ଯାଇଥିଲେ ।

ଏହି ଖବର ବିଷୟରେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି ଯେ ବିଦ୍ୟାଳୟ ଚାଲୁଥିବା ସମୟରେ କେହି ଯିବାକଥା ନୁହଁ। ଏ ଖବର ମୋ ନଜରକୁ ଆସିନାହିଁ। ସରପଞ୍ଚ କାହିଁକି ଗଲେ ତାଙ୍କୁ ପଚରାଯିବ। ବିଦ୍ୟାଳୟ ଚାଲୁଥିବା ସମୟରେ ତାଙ୍କୁ ଡିଷ୍ଟର୍ବ କରିବା କଥା ନୁହଁ । ବିଦ୍ୟାଳୟରେ ପାଠ ପଢା ପୂର୍ବରୁ ଯାଇପାରିବେ କିମ୍ବା ପଢା ସରିବା ପରେ ଯାଇପାରିବେ। ଏଭଳିଆ କରିବା ଅନୁଚିତ । ପାଠ ପଢା ସମୟରେ କେହି ଡିଷ୍ଟର୍ବ ନକରିବା ପାଇଁ ସେ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର