ସ୍କୁଲ୍‌ରୁ ଚାଉଳ ଚୋରି, ଦୁଇ ଗିରଫ:ବାହାରେ ତାଲା, ଭିତର ଖାଲି

ଭାପୁର: ନକଲି ଚାବି ଦ୍ୱାରା ସ୍କୁଲ୍‌ରୁ ୯ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଉଠାଇ ନେଇଥିଲେ। ଭାପୁର ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ୭ ବସ୍ତା ଚାଉଳ ଉଦ୍ଧାର କରିବା ସହ ଏ ଘଟଣାରେ ସ୍କୁଲ୍‌ ପିଅନଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ଝୁମ୍ପୁଡ଼ିଆ କୁଞ୍ଜ ବିହାରୀ ହାଇସ୍କୁଲ୍‌ରୁ ଏହିପରି ଚାଉଳ ଚୋରି ହେବା ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ସ୍କୁଲ୍‌ ପ୍ରଧାନ ଶିକ୍ଷକ ପ୍ରଭାତ ଧଳ ଗତକାଲି ସ୍କୁଲକୁ ଆସି ଅଫିସ୍‌ ଏବଂ ଷ୍ଟୋର୍‌ ରୁମ୍‌ ଚାବି ଖୋଲି ବିଭିନ୍ନ ସାମଗ୍ରୀ ଯାଞ୍ଚ କରିଥିଲେ। ଷ୍ଟୋର୍‌ ରୁମ୍‌ରେ ୯ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ନଥିବା ଦେଖି ସେ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଅଶୋକ ଦାଶଙ୍କୁ ଜଣାଇଥିଲେ। ଶ୍ରୀ ଦାଶ ଚାଉଳ ଚୋରକୁ ଠାବ କରିବା ପାଇଁ ଉଦ୍ୟମ କରିଥିଲେ। ସେ ଜଣେ ମହିଳାଙ୍କୁ ଗାଁର ଦିଲୀପ ଦେହୁରୀଙ୍କ ଘରକୁ ପଠାଇଥିଲେ।

ମହିଳା ଜଣକ ଚାଉଳ କିଣିବା ବାହାନାରେ ଯାଇ ଦିଲୀପଙ୍କ ଘରେ ମଧ୍ୟାହ୍ନ ଭୋଜନ ଚାଉଳ ଥିବା ଦେଖିଥିଲେ। ସେ ଏ ସଂପର୍କରେ ସ୍କୁଲ୍‌ ପ୍ରଧାନ ଶିକ୍ଷକ ଶ୍ରୀ ଧଳ ଓ ପରିଚାଳନା କମିଟି ସଭାପତି ଶ୍ରୀ ଦାଶଙ୍କୁ ଜଣାଇଥିଲେ। ଶ୍ରୀ ଧଳ ଓ ଶ୍ରୀ ଦାଶ ଫାଣ୍ଡିରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ କାଳନ୍ଦୀ ରାଉତ ସଦଳବଳ ଚଢ଼ଉ କରି ଦିଲୀପଙ୍କ ଘରୁ ୭ ବସ୍ତା ଚାଉଳ ଉଦ୍ଧାର କରିଛନ୍ତି। ଏଥିସହ ପୁଲିସ ଦିଲୀପଙ୍କୁ ଗିରଫ କରି ପଚରାଉଚରା କରିଥିଲା। ସ୍କୁଲ୍‌ ପିଅନ ଜଗତା ରାଉତ (୪୦)ଙ୍କ ସହଯୋଗରେ ଚାଉଳ ଚୋରି ହୋଇଥିଲା। ଜଗତା ସ୍କୁଲ୍‌ ତାଲା ଗୁଡ଼ିକର ୩ଟି ନକଲି ଚାବି ତିଆରି କରିଥିଲେ। ଏହି ଚାବିରେ ଷ୍ଟୋର୍‌ ରୁମ୍‌ ତାଲା ଖୋଲିବା ପରେ ଦିଲୀପ ଚାଉଳ ନେଇଥିବା ଜଗତା ସ୍ୱୀକାର କରିଛନ୍ତି ବୋଲି ପୁଲିସ କହିଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଜଗତା ଓ ଦିଲୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଗତାଙ୍କଠାରୁ ପୁଲିସ ନକଲି ଚାବି ଜବତ କରିଛି। ସୂଚନା ଯୋଗ୍ୟ, ଚୋରା ମଦ ବିକ୍ରି ଅଭିଯୋଗରେ ଜଗତା ଗିରଫ ହୋଇ ଜେଲ୍‌ରେ ଥିଲେ। ସେ କିଛିଦିନ ହେଲା ଜାମିନ୍‌ରେ ଆସିଥିଲେ। ସେହିପରି ଅନ୍ୟ ଏକ ସ୍କୁଲ୍‌ରୁ ଚାଉଳ ଚୋରି କରିବା ଅଭିଯୋଗରେ ଦିଲୀପ ବର୍ଷକ ତଳେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର