କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ଥାନା ଅଧିକାରୀଙ୍କ ନାଁରେ ଦୁଷ୍କର୍ମ ମାମଲା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ଗ୍ରାମର ଜଣେ ଯୁବତୀଙ୍କୁ ରାସୋଳ ଥାନା ଓଆଇସି ସନ୍ତୋଷ ପ୍ରଧାନ ଦୁଷ୍କର୍ମ ଉଦ୍ୟମ କରିଥିବା ଢେଙ୍କାନାଳ ଜିଲ୍ଲା ଦୌରାଜଜ୍‌ଙ୍କ ସ୍ପେଶାଲ କୋର୍ଟରେ ଅଭିଯୋଗ ହୋଇଥିଲା। ଏତଲା କ୍ରମେ କୋର୍ଟ ଏକ ମାମଲା ରୁଜୁ କରି ଆଜି ପୀଡ଼ିତାଙ୍କ ବୟାନ୍‌ ରେକର୍ଡ଼ କରିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୨୨ତାରିଖରେ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ପାଟି ଶୁଣି ପାଖ ପଡ଼ୋଶୀ ସେଠାରେ ପହଞ୍ଚିବାରୁ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସେଠାରୁ ଖସି ପଳାଇଥିଲେ ବୋଲି ଯୁବତୀ ଜଣକ ଏତଲାରେ ଦର୍ଶାଇଛନ୍ତି। ଘଟଣା ସମ୍ପର୍କରେ ଯୁବତୀ ଜଣକ ନିଜ ପରିବାରକୁ ଅବଗତ କରାଇବା ସହିତ ଅକ୍ଟୋବର ୨୩ତାରିଖରେ ଢେଙ୍କାନାଳ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କିଛି ନ ଶୁଣିବାରୁ ଯୁବତୀ ଜଣକ ଜିଲ୍ଲା ଦୌରାଜଜ୍‌ଙ୍କ ସ୍ପେଶାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତଦନୁସାରେ ଆଜି କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ଼ କରାଯାଇଛି ବୋଲି ପୀଡ଼ିତାଙ୍କ ଓକିଲ ପ୍ରତାପ ତ୍ରିପାଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର