ଜଳଖିଆ ଦୋକାନୀଙ୍କୁ ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଶଙ୍କରପୁର ଗୋଡି ସାହିରେ ଜଳଖିଆ ଦୋକାନ ଦେଇଥିବା ମାଧବ ବେହେରା (୫୫)ଙ୍କୁ ହତ୍ୟା କରାଯାଇଛି। ଏ ନେଇ ମୃତକଙ୍କ ପୁଅ ବାବୁ ବେହେରା ଥାନାରେ ଏତଲା ଦେବା ପରେ ପୁଲିସ ଏକ କେସ୍‌ ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଡି ସାହିଠାରେ ମାଧବ ବେହେରା ପୂର୍ବରୁ ଏକ ଚା ଓ ଜଳଖିଆ ଦୋକାନ ଦେଇଥିବା ବେଳେ ପରେ ସେ ଏକ ଫାଷ୍ଟଫୁଡ୍‌ ଦୋକାନ କରିଥିଲେ। ଗତ କିଛି ଦିନ ହେଲା ମାଧବଙ୍କ ଦୋକାନ ସମ୍ମୁଖ ରାସ୍ତା ସେପଟେ ଉକ୍ତ ଗ୍ରାମର ରାମଚନ୍ଦ୍ର ସାହୁ ଆଉ ଏକ ଜଳଖିଆ ଦୋକାନ କରିଥିଲେ। ଅଧିକ ବିକ୍ରିବଟାକୁ ନେଇ ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ପାଟିତୁଣ୍ଡ ହେଉଥିଲା।

ଗତକାଲି ରାତିରେ ନୂଆବର୍ଷ ପାଇଁ ରାମଚନ୍ଦ୍ର ରାଉତଙ୍କ ଦୋକାନରେ ଗାଁ’ର କେତେକ ବ୍ୟକ୍ତି ଭୋଜିଭାତ କରିଥିଲେ। ଏହି ସମୟରେ ସେମାନେ ଏକ ବାଣରେ ନିଆଁ ଲଗାଇ ମାଧବଙ୍କ ଦୋକାନ ଆଡେ ଫିଙ୍ଗି ଦେଇଥିଲେ। ମାଧବ ଏହାର ପ୍ରତିବାଦ କରିବାରୁ ସେମାନେ ଏକାଠି ହୋଇ ମାଧବଙ୍କୁ ତଳେ ପକାଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ମାଧବଙ୍କ ପୁଅ ବାବୁ ଓ ତାଙ୍କର କେତେକ ସହଯୋଗୀ ସେଠାରେ ପହଞ୍ଚିବାରୁ ଆକ୍ରମଣକାରୀମାନେ ହତ୍ୟା ଧମକ ଦେଇଥିଲେ। ଫଳରେ ଭୟରେ ସମସ୍ତେ ପଳାଇ ଯାଇଥିଲେ।

ପରେ ବାବୁ, ତାଙ୍କ ମାଆ ଗୁନେଇ ବେହେରା ଓ ଅନ୍ୟ କେତେକ ଗ୍ରାମବାସୀ ଦୋକାନଠାରୁ ୧୫ ଫୁଟ୍‌ ଦୂରରେ ମାଧବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ହରେକୃଷ୍ଣ ନାୟକ, ଏସ୍‌ଡିପିଓ ନିରଞ୍ଜନ ପାତ୍ର, ସଦର ଥାନା ଅଧିକାରୀ ନିରୁପମା ଜେନା, ଭାପୁର ଫାଣ୍ଡି ଅଧିକାରୀ ଶଶୀଭୂଷଣ ବେହେରା ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ।

ତାଙ୍କ ବାପାଙ୍କୁ ୧୭ ଜଣ ମାଡ ମାରି ହତ୍ୟା କରିଥିବା ମାଧବଙ୍କ ପୁଅ ବାବୁ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସଦର ଥାନା କେସ୍‌ ନଂବର ୨/୧୮, ୩୦୨, ୩୪ ଆଇପିସିରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସଦର ଥାନା ଅଧିକାରୀ ଶ୍ରୀମତୀ ଜେନା ଓ ଭାପୁର ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର