ଛଅ ଦାଦନ ଶ୍ରମିକ ଉଦ୍ଧାର

ଢେଙ୍କାନାଳ/ଗଁଦିଆ: ସୁଦୂର ବାଙ୍ଗାଲୋର ଚାଲାଣ କରାଯାଉଥିବା ଯାଜପୁର ଜିଲ୍ଲାର ୬ ଜଣ ଦାଦନ ଶ୍ରମିକଙ୍କୁ ଗତକାଲି ଗଁଦିଆ ପୁଲିସ ଉଦ୍ଧାର କରିଛି। ପୁଲିସ ସୂଚନା ଅନୁଯାୟୀ, ଉଦ୍ଧାର ଶ୍ରମିକମାନେ ହେଉଛନ୍ତି ସୁକିନ୍ଦା ଥାନା ଦାମୋଦରପୁର ଗାଁର ତୋଫାନ ନାୟାର (୨୫), ଗୋପାଳ ଦେହୁରୀ (୪୦), ସନାତନ ବେହେରା (୪୦), ମାନସ ଦେହୁରୀ (୨୪), ମଙ୍ଗଳପୁର ଗ୍ରାମର ବୁଲୁ ନାୟାର (୨୪) ଓ ସୁନିଲ୍‌ ନାୟାର (୧୮)। ଭୁବନ ଥାନା ଅନନ୍ତପୁର ଗାଁର ନରେନ୍ଦ୍ର ଦେହୁରୀ ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇ ଏକ ବୋଲେରୋ (ଓଡି୦୨ବି -୧୮୨୮)ରେ କଟକ ରେଳ ‌େଷ୍ଟସନକୁ ନେଉଥିଲେ। ସେଠାରୁ ଟ୍ରେନ୍‌ରେ ବାଙ୍ଗାଲୋର ନିଆଯାଇଥାଆନ୍ତା। ମଠତେନ୍ତୁଳିଆ ଦେଇ ବୋଲେରୋ ଯିବାବେଳେ ଗଁଦିଆ ଥାନାଧିକାରୀ ନିରୂପମା ଜେନାଙ୍କ ନେତୃତ୍ବରେ ଏକ ପୁଲିସ୍‌ ଟିମ୍‌ ତାହାର ପିଛା କରିଥିଲା।

ପୁଲିିସ ନିର୍ଦେଶକ୍ରମେ ସୋରିଷିଆପଦା ପଞ୍ଚାୟତ ଚାଟିଘର ବନ ବିଭାଗ ତନଖି ଫାଟକଠାରେ ବୋଲେ‌େରା ଅଟକାଯାଇଥିଲା। ରାତି ପ୍ରାୟ ୩ଟାବେଳେ ପୁଲିସ ଶ୍ରମିକମାନଙ୍କୁ ଗାଡ଼ିସହ ଉଦ୍ଧାର କରି ଥାନାକୁ ଆଣିଥିଲେ। ଥାନାରେ ଢେଙ୍କାନାଳ ଜିଲ୍ଲା ଶ୍ରମ ଅଧିକାରୀ ହଳଧର ବରାଳ ପହଞ୍ଚିବା ପରେ ଉଦ୍ଧାର ଶ୍ରମିକମାନଙ୍କର ବୟାନ ରେକର୍ଡ କରିବା ସହିତ ପୁଲିସ୍‌ ଶ୍ରମିକମାନଙ୍କୁ ଶ୍ରମ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ନରେନ୍ଦ୍ର ଦେହୁରୀ ଓ ବୋଲେରୋ ଚାଳକ ଆଲୋକ ସାହୁଙ୍କୁ ପୁଲିସ ପିଆର୍‌ ବଣ୍ଡରେ ଛାଡ଼ିଥିଲା। ଥାନାଧିକାରୀଙ୍କ ‌ନେତୃତ୍ବରେ ପୁଲିସ ଏଏସ୍‌ଆଇ ରଜନୀକାନ୍ତ ନାୟକ, କାଳନ୍ଦୀ ନାୟକ, ଲକ୍ଷ୍ମଣ ସାହୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଶ୍ରମିିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ଶ୍ରମ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଯାଜପୁର ଜିଲ୍ଲାରେ ବହୁ ଖଣି ଖାଦାନ ଥିବା ସତ୍ତ୍ବେ ଅଞ୍ଚଳର ଶ୍ରମିକ କାମ କରିବାକୁ ବାଙ୍ଗାଲୋର ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର