କାମାକ୍ଷାନଗର:ଅନୁଗୁଳ ଛେଣ୍ଡିପଦାରୁ ଆସି ଢେଙ୍କାନାଳ ଜିଲ୍ଲାରେ ଘୂରି ବୁଲୁଛି ଛତିଶଗଡ଼ୀ ମହାବଳ। କାମାକ୍ଷାନଗର ଅଞ୍ଚଳରେ ଜଙ୍ଗଲରୁ ବାହାରି ରାସ୍ତା ପାର ହେଉଥିବା ବେଳେ ଗାଁଲୋକେ ବାଘକୁ ଦେଖିଥିବା କହିଛନ୍ତି। ଉକ୍ତ ଘଟଣା ଅପରାହ୍ଣ ୨ଟାରୁ ଘଟିବା ପରେ ବନବିଭାଗକୁ ଖବର ଦିଆଯାଇଥିଲା। ମାତ୍ର ବନ ବିଭାଗ ସନ୍ଧ୍ୟା ସମୟରେ ଆସି ଅନୁଧ୍ୟାନ କରିବାରୁ ଉକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଆଜିକୁ ତିନିରୁ ଚାରି ଦିନ ହେବ କାମାକ୍ଷାନଗର ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ମହାବଳ ପ୍ରଥମେ ମହାବିରୋଡ଼ ରେଞ୍ଜର ମଦରଙ୍ଗାମୁଣ୍ଡା ଗାଁରେ ଏକ ଗାଈକୁ ଘୋଷାଡ଼ି ନେଉଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନବିଭାଗ ଓ ଉଦ୍ଧାରକାରୀ ଦଳ ପହଞ୍ଚି ବାଘର ପାଦଚିହ୍ନ ମାପିବା ସହ ବାଘର ଗତିବିଧି ଉପରେ ନଜର ରଖିଥିଲେ। ମାତ୍ର ବନବିଭାଗକୁ ଚକ୍ମା ଦେଇ ମହାବଳ ମହାବିରୋଡ଼ ରେଞ୍ଜରୁ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାଦବସନ୍ତ ଗାଁରେ ଗାଈକୁ ଜଙ୍ଗଲ ଭିତରକୁ ଘୋଷାଡ଼ି ନେବା ସହ ଆତଙ୍କ ସୃଷ୍ଟି କରିଥିଲା।ତେବେ ଶୁକ୍ରବାର କାମାକ୍ଷାନଗର ସହରଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା କାନପୁରା ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ବାଘକୁ ଦେଖିବାକୁ ମିଳିଛି। କିଛି ସ୍ଥାନୀୟ ଲୋକେ ଜଙ୍ଗଲ ନିକଟରେ ଭୋଜି କରୁଥିବା ବେଳେ ବାଘକୁ ଦେଖି ଭୟଭୀତ ହେବାସହ ବନ ବିଭାଗକୁ ଖବର ଦେଇଥିଲେ। ମାତ୍ର ବନ ବିଭାଗ କର୍ମଚାରୀମାନେ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବାରୁ ବାଘ ସେଠାରୁ ଚମ୍ପଟ୍ ମାରିଛି।
ତେବେ ଜଙ୍ଗଲରୁ ବାହାରି ମହାବଳ ସହର ନିକଟବର୍ତ୍ତୀ ଅଞ୍ଚଳକୁ ଆସିଥିବାରୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଛନ୍ତି। ତେବେ ତୁରନ୍ତ ବନବିଭାଗ ବାଘକୁ କାବୁ କରିବାକୁ ଲୋକେ ଦାବି କରିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ ଛାୟାକାନ୍ତ ରାଉତ କହିଛନ୍ତି, ଜଙ୍ଗଲ ନିକଟରେ ଭୋଜି କରୁଥିବା ବେଳେ ବାଘକୁ ଦେଖିଲେ। ମହାବଳ ଲୋକଙ୍କୁ ଦେଖି ରାସ୍ତା ପାରି ହେଲାନାହିଁ ପୁଣି ସେହି ଜଙ୍ଗଲକୁ ଚାଲିଗଲା। କଳା ଆଉ ହଳଦିଆ ରଙ୍ଗର ବହୁତ ବଡ଼ ବାଘ ଥିବା କହିଛନ୍ତି। ଗତ ୨ଦିନ ହେଲାଣି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଞ୍ଚଳରେ ମହାବଳ ଘୂରି ବୁଲୁଥିବା ବେଳେ ବନ ବିଭାଗ ଟେର୍ ପାଉ ନଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ସମ୍ପର୍କରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ଗ୍ରାମାଞ୍ଚଳ ମୁହାଁ ମହାବଳ ଉପରେ ଉଚ୍ଚ ପଦସ୍ତ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଆଜିଯାଏ ବନ ବିଭାଗ କେବଳ ବାଘର ପାଦଚିହ୍ନ ମପାଚୁପରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି। ବାଘ ଅଞ୍ଚଳରେ ରହି ଆତଙ୍କ ସୃଷ୍ଟି କରୁଥିଲେ ମଧ୍ୟ ତାକୁ କିପରି କାବୁ କରାଯିବ ସେ ନେଇ କୌଣସି ଠୋସ୍ ଯୋଜନା ନଥିବା ସ୍ଥାନୀୟ ଲୋକ କହୁଛନ୍ତି।