ଢେଙ୍କାନାଳ: ଜାତୀୟ ରାଜପଥ ସହର ଉପକଣ୍ଠ କଲେଜ୍ ବାଇପାସ୍ ଠାରେ ଗତକାଲି ରାତିରେ ଜଣେ ବ୍ୟକ୍ତି ନିଜକୁ ତହସିଲ୍ଦାର କହି ଭାରିଯାନ ବହନ କରୁଥିବା ଟ୍ରକଚାଳକମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଏହିି ଘଟଣାରେ ଟାଉନ୍ ଥାନା ପୁଲିସ୍ ବୋଲେରୋ ସହ ୨ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ଗ୍ରାମର ରାମଚନ୍ଦ୍ର ପଟ୍ଟନାୟକ ଗତକାଲି ରାତି ସାଢେ ୧୦ଟା ସମୟରେ ଏକ ଟ୍ରକରେ ଓଡାପଡା ବ୍ଲକ ଗୁଡିଆକାଟେଣୀରୁ କ୍ରସର ମେଟାଲ୍ ନେଇ ନିଜ ଅଂଚଳକୁ ଯାଉଥିଲେ । ଢେଙ୍କାନାଳ ସହର କଲେଜ୍ବାଇପାସ୍ ସ୍ଥିତ ଜାତୀୟ ରାଜପଥ ଉପରେ ୩ଜଣ ଯୁବକ ଏକ ବୋଲେରୋରେ ଆସି ତାଙ୍କ ଟ୍ରକକୁ ଅଟକାଇଥିଲେ। ଟ୍ରକ ଚାଳକଙ୍କୁ ତା’ର କାଗଜ ପତ୍ର ମାଗିବା ସହ ଟଙ୍କା ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଗୋବିନ୍ଦପୁର ଫାଣ୍ଡିକୁ ଯିବାକୁ କହିଥିଲେ।
ଏହି ସମୟରେ ପୁଲିସ୍ ପେଟ୍ରୋଲିଂ କରୁଥିବା ପିସିଆର୍ ଆସି ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ଟଙ୍କା ମାଗୁଥିବା ଯୁବକମାନେ ଦୌଡିବାକୁ ଆରମ୍ଭ କରିଥିଲେ। ଖବର ପାଇ ଟାଉନ୍ ଥାନା ପୁଲିସ୍ ମଧ୍ୟ ସେଠାରେ ପହଞ୍ଚିଥିଲେ। ପଳାଇବାକୁ ଉଦ୍ୟମ କରୁଥିବା ୨ ଜଣ ଯୁବକକୁ ପୁଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍ ହୋଇଯାଇଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଓଡି୦୬୫୧୨୭୦ ନମ୍ବର ବୋଲେରୋକୁ ଜବତ କରାଯାଇଛି। ଏ ସଂପର୍କରେ ରାମଚନ୍ଦ୍ର ପଟ୍ଟନାୟକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନାରେ ୨୬୯/୨୧ରେ ଏକ ମାମଲା ରୁଜୁ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଏବେ ଚାଲିଛି । ଅନ୍ୟ ଫେରାର୍ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ନମିତା ନାୟକ ପ୍ରକାଶ କରିଛନ୍ତି।