ମାଈହାତୀ ମୃତ୍ୟୁ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ

କଙ୍କଡାହାଡ଼: ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବୀରୋଡ ରେଞ୍ଜ ଘାଗେରା ମୁଣ୍ଡା ଖେସରା ଜଙ୍ଗଲରେ ମାଈହାତୀ ମୃତ୍ୟୁ ଘଟଣାରେ ୨ ଜଣ ବନ କର୍ମଚାରୀ କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହୋଇଥିବାର ଖବର ମିଳିଛି। ନିଲମ୍ବିତ  ଦୁଇ ବନ କର୍ମଚାରୀ ହେଲେ ଦଦରାଘାଟି ସେକ୍ସନ ଫରେଷ୍ଟର ସରୋଜ କୁମାର ବେହେରା ଓ ଘାଗରାମୁଣ୍ଡା ବିଟ୍ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ। ଉଭୟଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ଢେଙ୍କାନାଳ ଡିଏଫ୍‌ଓ।

ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗେରା ମୁଣ୍ଡା ଖେସରା ଜଙ୍ଗଲରୁ ଗତ ରବିବାର ଦିନ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ହାତୀର ବୟସ ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ରବିବାର ଦିନ କେତେକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଏକ ମାଈ ହାତୀ ପଡ଼ିଥିବା ଦେଖି ଗ୍ରାମରେ ଖବର ଦେଇଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ମହାବିରୋଡ଼ ରେଞ୍ଜ ଦାୟିତ୍ବରେ ଥିବା କାମାକ୍ଷାନଗର ଇଷ୍ଟରେଞ୍ଜ ଅଧିକାରୀ ସତ୍ୟ ନାରାୟଣ ସାହୁ ଟିମ୍‌ ସହିତ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। କଙ୍କଡାହାଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟ ବିକ୍ରମ ତରାଇ ଶବ ବ୍ୟବଚ୍ଛେଦ କରିଥିଲେ। ମାଈ ହାତୀଟି ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାର ଗର୍ଭରୁ ମୃତ ଛୁଆକୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତାଯାଇଥିଲା।

ସମ୍ବନ୍ଧିତ ଖବର