ଢେଙ୍କାନାଳ: ଯାତ୍ରାପାର୍ଟି ଟ୍ରକ-ବାଇକ ଧକ୍କାରେ ୨ ମୃତ, ୫ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ଗୁରୁବାର ଅପରାହ୍ନରେ ଯାତ୍ରାପାର୍ଟି ଟ୍ରକ(ଓଆର ୦୯-ଡି-୩୮୩୫) ସହିତ ବାଇକ (ଓଡି୧୯-ଡି-୧୯୧୩) ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। କାମାକ୍ଷାନଗରରୁ କଙ୍କଡାହାଡ଼ ଯାଉଥିବା ଯାତ୍ରାପାର୍ଟି ଟ୍ରକ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣ ବାଇକ ଆରୋହୀଙ୍କର ମୃତୁ ହୋଇଯାଇଛି। ମୃତକମାନେ ହେଲେ ଲୋକନାଥ ଜେନାଙ୍କ ପୁଅ ଓମ ୟଶବର୍ଦ୍ଧନ ଜେନା(୧୪ବର୍ଷ) ଓ ତ୍ରିଲୋଚନ ମୁଦୁଲିଙ୍କ ପୁଅ ସୋମେଶ ମୁଦୁଲି(୧୪ବର୍ଷ)। ଉଭୟଙ୍କ ମୃତ ଦେହ କାମାକ୍ଷାନଗର ମେଡିକାଲରେ ପୋଷ୍ଟମର୍ଟମ ପାଇଁ ରଖାଯାଇଛି।

ଦୁର୍ଘଟଣାରେ ଯାତ୍ରାପାର୍ଟି ଟ୍ରକର ୫ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲାର ନିମାପଡାର ଦିଲୀପ ରାଉତ(୪୫ବର୍ଷ), ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ଅଞ୍ଚଳର ଆମ୍ବୁଜ ନାୟକ(୩୬ବର୍ଷ), କେନ୍ଦ୍ରାପଡାର ବଂଶୀ ଧଳ(୬୦ବର୍ଷ), ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଞ୍ଜନ ମଲ୍ଲିକ(୪୫ବର୍ଷ) ଓ ଜଗତସିଂହପୁରର ଭରତ ମଲ୍ଲିକ(୪୦ବର୍ଷ)କୁ ୧୦୮ ଆମ୍ବୁଲାନ୍‌ସରେ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଛି।

ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ମୃତକ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଓମ ୟସବର୍ଦ୍ଧନ ଜେନା କାନପୁରଯ ପଂଚଯୟତ ରାଜ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ବେଳେ ସୋମେଶ କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢୁଥିଲେ । ଗଣେଶ ପୂଜାରେ ସାଙ୍ଗ ମାନଙ୍କ ସହିତ ମିଶି ବୁଲିବାକୁ ଯାଇଥିଲେ। ଯାତ୍ରାପାର୍ଟି ଗାଡି କେନ୍ଦ୍ରାପଡାରୁ କଙ୍କଡାହାଡ଼ ଅଂଚଳକୁ ଯାଉଥିଲା। ରାସ୍ତା ଉପରେ ଟ୍ରକ ଓଲଟି ପଡ଼ିଥିବାରୁ କଙ୍କଡାହାଡ଼ କାମାକ୍ଷାନଗର ରାସ୍ତା ଅବରୋଧ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି।

ସମ୍ବନ୍ଧିତ ଖବର