‘ଉଫୁନା’ ପକ୍ଷରୁ ଜାତିସଂଘ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ସ୍ୱେଚ୍ଛାସେବୀ ସଂଗଠନ ‘ଉଫୁନା’ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ଦେବକନ୍ୟାରେ ଆଜି ଜାତିସଂଘ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଅନୁଷ୍ଠାନର ରାଜ୍ୟ ଅଧ୍ୟକ୍ଷ ଆଇନ୍‌ଜୀବୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତିସଂଘ ପ୍ରତିଦିନ ୭୩ଟି ଦେଶର ୯୦ ମିଲିୟନ ଲୋକଙ୍କୁ ଖାଦ୍ୟ ଯୋଗାଉଛି ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଛି ବୋଲି କହିଥିଲେ। ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ଏସ୍‌. କେ. ଟାମୋଟିଆ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତିସଂଘ ବିଶ୍ୱର ୩୦ଟି ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସକ୍ରିୟ କରାଉଛି ବୋଲି କହିଥିଲେ। ଲେପ୍ଟନାଣ୍ଟ୍‌ ଜେନେରାଲ କେ.ପି. ଧଳସାମନ୍ତ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜାତିସଂଘ ପ୍ରତ୍ୟେକ ଦିନ ୧,୧୩,୦୦୦ ଶାନ୍ତିସେନା ଜରିଆରେ ୪ଟି ଉପମହାଦେଶରେ ଶାନ୍ତି ରକ୍ଷା କରୁଛି ଓ ୧୦୦ଟି ଦେଶରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ପାଇଁ କାମ କରୁଛି ବୋଲି ସୂଚନା ଦେଇଥିଲେ। ପୂର୍ବତନ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଶତପଥୀ, ପ୍ରଫେସର ଦିଲ୍ଲୀପ ନନ୍ଦ, ବ୍ରହ୍ମ କୁମାରୀ ଉଷା, ସମାଜବାଦୀ ନେତା ସରୋଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବକ୍ତାମାନେ ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଚାଲିଥିବା ପରମାଣୁ ଯୁଦ୍ଧର ଆଶଙ୍କା ସମ୍ପର୍କରେ ଆଲୋକପାତ କରିବା ସହିତ ଭାରତ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ହେବା ଲାଗି ଦାବି କରିଥିଲେ। ଏହି ଅବସରରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ଶ୍ରୀ ଟାମୋଟିଆ, ପ୍ରଭା ପଟ୍ଟନାୟକ, ଇନସୁରାନ୍‌ସ ଅଫିସର ବିଭୁଧେନ୍ଦୁ ସାମଲ, ବିନାୟକ ଶତପଥୀ, ସୌଭାଗ୍ୟ ପାତ୍ର ପ୍ରମୁଖଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଡ. ସାହୁ ସମ୍ମାନିତ କରିଥିଲେ। କବି ବାହାଦୁର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଦେଇଥିଲେ। ‘ଉଫୁନା’ର ଅନ୍ୟତମ ସଂପାଦକ ଦିପାୟନ ପଟ୍ଟନାୟକ, ସ୍ନେହପ୍ରଭା ପାଣିଗ୍ରାହୀ, ମାନସ କର, କବି ବିଦ୍ୟାଧର ବାରିକ, ରାଧାନାଥ ରଥ, ପରେଶ ପଟ୍ଟନାୟକ, ଲୋକନାଥ ମହାପାତ୍ର, କୁଞ୍ଜ ସାହୁ, ସୌମ୍ୟରଂଜନ ପରିଡ଼ା, ଲିଙ୍କୁ ପତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଯୁବ ଶିଳ୍ପୋଦ୍ୟୋଗୀ ହର୍ଷବର୍ଦ୍ଧନ ସିଂହଦେଓ ଏବଂ ଭରତ ଦାସ, ରଣେନ୍ଦ୍ର ପ୍ରତାପ ସିଂହଦେଓ, ବିଚିତ୍ରାନନ୍ଦ ମହାନ୍ତି, ପ୍ରସାଦ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର