ଢେଙ୍କାନାଳ: କାନ୍ଥ ଭୁଷୁଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ , ୪ ଗୁରୁତର

ଢେଙ୍କାନାଳ: ଆଜି ସକାଳେ ସହରରେ ଢେଙ୍କାନାଳ ସହର ଉପକଣ୍ଠରେ ଥିବା ଅଳସୁଆ ହାଟ ନିକଟରେ କାନ୍ଥ ଭୁଷୁଡ଼ିବା ଫଳରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଥିବାର ଖବର ମିଳିଛି। । ମୃତକମାନେ ହେଲେ ଗେଙ୍ଗୁଟିଆ ଅଂଚଳର ରାମଚନ୍ଦ୍ର ପାତ୍ର, ଗୁରୁଜଙ୍ଗର ଅଭିମୁନ୍ୟୁ ବିଶ୍ୱାଳ, କମଗରାର ମାୟାଧର ମଲ୍ଲିକ,ଓ ଚାଇଁପୁର ପାଟଣାର ସଂଗ୍ରାମ ସାହୁ । ଅଭିମୁନ୍ୟୁ ବିଶ୍ୱାଳଙ୍କୁ ବାଦ୍ ଦେଲେ  ଅନ୍ୟମାନେ ପରିବା ବିକିବାକୁ ଆସିଥିବା ଜଣାପଡ଼ିଛି । ଆହତମାନେ ହେଲେ ନୂଆଗଡ଼ ମନ୍ଦାର ଗ୍ରାମର କମଳେଶ,ଗଂଜରା ଗାଆଁର ଶରତ ରାଉତ, ହାଉସିଂ ବୋର୍ଡ  କଲୋନିର ଜ୍ୟୋତିର୍ମୟୀ ପତି  ଏବଂ  କିଣାପାଳ ଗ୍ରାମର କିଣା ବେହେରା । ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବରପାଇ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ୍ ବଜାର ଅଳସୁଆ ହାଟରେ ପ୍ରତ୍ୟେକ ରବିବାର ହାଟ ବସିଥାଏ । ଆଜି ସକାଳୁ ମଧ୍ୟ ବେପାରୀମାନେ ଆସି ହାଟ ଆରମ୍ଭ ହୋଇଥିଲା । ଏହି ସମୟରେ ହାଟରେ ଥିବା ଡି. ହଂସରାଜ ରାଇସ୍ ମିଲର ଏକ ପରିତ୍ୟକ୍ତ କାନ୍ଥ ହଠାତ ଭୁଷୁଡ଼ି ପଡ଼ିଥିଲା । ରାଇସ୍ ମିଲର କାନ୍ଥଟି ଦୁର୍ବଳ ଥିଲା ବୋଲି କୁହାଯାଉଛି। ଫଳରେ ସେଠାରେ ପରିବା ବିକୁଥିବା ବ୍ୟବସାୟୀମାନେ ଚାପି ହୋଇଯାଇଥିଲେ ବୋଲି ଜଣାଯାଇଛି।କାନ୍ଥ ତଳେ ଆହୁରି କିଛି ଲୋକ ରହିଥିବା ଅନୁମାନ କରାଯାଉଛି । ଏହି ଅଘଟଣ ଘଟିବାପରେ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ,ମାତ୍ର ପୁଲିସ୍ ପରିସ୍ଥିତକୁ ନିୟନ୍ତ୍ରଣରେ ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର