ସୁନା କାରିଗର ହତ୍ୟାକାଣ୍ଡ ଖୁଲାସା : ପରକୀୟା ପ୍ରୀତି ଯୋଗୁ ସ୍ତ୍ରୀ ପ୍ରାଣନେଲା

ଢେଙ୍କାନାଳ : ମାସକ ପରେ ଆଜି ଢେଙ୍କାନାଳ ସୁନା କାରିଗର ମଣ୍ଟୁ ପାତ୍ର ହତ୍ୟାକାଣ୍ଡର ଖୁଲାସା ହୋଇଛି। ଆଉ କେହି ନୁହେଁ, ବରଂ ଅଣ୍ଟି ଛୁରୀ ତଣ୍ଟି କାଟିଲା ଭଳି ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ୍ ହେଉଛି ମଣ୍ଟୁଙ୍କ ସ୍ତ୍ରୀ ଅରୁଣା ପାତ୍ର। ପୁରୁଣା ପ୍ରେମିକ ସହିତ ମିଶି ଅରୁଣା ଏମିତି ଏକ ବୀଭତ୍ସକାଣ୍ଡ ଘଟାଇଛି। ଭିସେରା ରିପୋର୍ଟ ଆସିବା ପରେ ଅରୁଣାଙ୍କର ସୈତାନ ରୂପ ପଦାକୁ ଆସିଛି।

ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅରୁଣାଙ୍କୁ ୧୬ବର୍ଷ ତଳେ‌ ମଣ୍ଟୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଅରୁଣାଙ୍କର ଅନ୍ୟ ଏକ ଯୁବକଙ୍କ ସହ ଅନୈତିକ ସମ୍ପର୍କ ସ୍ବାମୀ-ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି କରିଥିଲା। ସେପ୍ଟେମ୍ବର ୩ ତାରିଖ ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଝଗଡ଼ା ସତ୍ତ୍ୱେ ମଣ୍ଟୁ ସବୁଦିନ ପରି କାମ କରିବାକୁ ନିଜ ଦୋକାନକୁ ଚାଲିଯାଇ ଥିଲେ। ଅପରାହ୍ମଣରେ ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଆସିଥିଲେ। ଭିସେରା ରିପୋର୍ଟରୁ ଜଣାପଡ଼ିଛି ଯେ, ଅରୁଣା ତାଙ୍କ ଖାଦ୍ୟରେ ସେଡ଼ାଟିଭ୍‌ ଡ୍ରଗ୍‌ସ ନାମକ ଏକ ନିଶା ମିଶାଇ ଥିଲା ଅରୁଣା। ଯେଉଁଥି ପାଇଁ ମଣ୍ଟୁ ଖାଇ ସାରିଲା ପରେ ନିଘୋଡ଼ ନିଦରେ ଶୋଇ ଯାଇଥିଲେ। ଏହାପରେ ତାଙ୍କ ପ୍ରେମିକ ମଣ୍ଟୁଙ୍କ ବେକ ଓ ହାତକୁ ମାରଣାସ୍ତ୍ରରେ ଚୋଟ ଉପରେ ଚୋଟ ପକାଇଥିଲା। ଫଳରେ, ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଅରୁଣା ସ୍ବାମୀଙ୍କ ଶବ ଉପରେ କନ୍ଦାକଟା କରି ଭଲ ଅଭିନୟ କରିଥିଲା। ଘଟଣା ସମ୍ପର୍କରେ କିଛି ଜାଣି ନାହିଁ ବୋଲି ପୁଲିସକୁ କହିଥିଲା। ମାତ୍ର, ଭିସେରା ରିପୋର୍ଟ ଆସିବ‌ା ପରେ ସତ ସାମ୍‌ନାକୁ ଆସିଛି। ପୁଲିସ୍‌ ଅରୁଣାକୁ ଗିରଫ କରି କୋର୍ଟଚାଲାଣ କରିଛି। ମାତ୍ର, ହତ୍ୟାକାରୀ ପ୍ରେମିକର ସନ୍ଧାନ ଅଦ୍ୟାବଧି ମିଳିପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର