ପୂର୍ବ ଶତ୍ରୁତାରୁ ଯୁବକଙ୍କ ଉନ୍ମତ୍ତକାଣ୍ଡ:ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କଣିହାଁ: ପୂର୍ବ ଶତ୍ରୁତାରୁ ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ଜଣେ ମହିଳାଙ୍କୁ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଏନ୍‌ଟିପିସି ଥାନା ଭୀମକାଣ୍ଡ ଷଣ୍ଢ ହଟିଂ ଅଞ୍ଚଳରେ।
ସୂଚନା ଅନୁଯାୟୀ, ଏନ୍‌ଟିପିସି ଥାନାଠାରୁ ପ୍ରାୟ ୨୦୦ ମିଟର ଦୂର ଭୀମକାଣ୍ଡ ଷଣ୍ଢ ହଟିଂରେ ଦୀର୍ଘଦିନ ହେଲା ସୁକୁମାରୀ ସାମ୍ବଡ଼ (୪୫) ତାଙ୍କ ପରିବାର ସହିତ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ସୁକୁମାରୀଙ୍କ ପ୍ରଥମ ସ୍ୱାମୀ ବାଗୁନ ବାହାରେ ରହୁଥିବା ବେଳେ ତାଙ୍କ ଦ୍ୱିତୀୟ ସ୍ୱାମୀ ବାହାଦୁର ସୁକୁମାରୀ ସହିତ ରହୁଥିଲେ।

ଅପରାହ୍ଣ ୨ଟା ବେଳେ ସୁକୁମାରୀ କାମ କରିବା ପାଇଁ ଘରୁ ବାହାରକୁ ଯିବା ବେଳେ ତାଙ୍କ ସମ୍ପର୍କୀୟ ପଡ଼ୋଶୀ ଟୁନୁ ବିରୁଆ (୨୦) ପୂର୍ବ ଶତ୍ରୁତାକୁ ନେଇ ଏକ ଟାଙ୍ଗିଆରେ ତାଙ୍କ ବେକକୁ ୪/୫ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ସୁକୁମାରୀଙ୍କ ମୃତ୍ୟୁ ହୋଇଥିଲା। ଟୁନୁ ଟାଙ୍ଗିଆରେ ହାଣି ତାଙ୍କ ମାଆକୁ ହତ୍ୟା କରିଥିବା ନେଇ ସୁକୁମାରୀଙ୍କ ପୁଅ ଦୁର୍ଗା ସାମ୍ବାଡ଼ ଏନ୍‌ଟିପିସି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ଟୁନୁକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର