ଜୟପୁର: ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ବୈଷୟିକ ଚିକିତ୍ସା ପଦ୍ଧତିରେ ଉନ୍ନତ ଓ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ରଖି ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଡିଏଚଏଚ(ଜିଲ୍ଲା ମୁଖ୍ୟଚିକିତ୍ସାଳୟ) କୋଠାର ନିର୍ମାଣ ପାଇଁ ୯୯.୫କୋଟିର ଅନୁଦାନ ୨୦୨୧ମସିହାରେ ଦେଇଥିଲେ । ଠିକା କଂପାନୀ ଏହି କାମକୁ ୮୦ କୋଟିରେ ନେବା ସହ ୨୦୨୩ ଅଗଷ୍ଟ ମାସ ୨୫ତାରିଖ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଥିଲା। ଏହାରି ମଧ୍ୟରେ କଣ୍ଟ ପୁରି ୫ ମାସ ଅତିବାହିତ ହୋଇଯାଇଛି। ଅପରପକ୍ଷରେ ସମୟ ଗଡି ଚାଲିବା ସହ ନିର୍ମାିଣ ଖର୍ଚ୍ଚ ବୃଦ୍ଧି ପାଇଛି। ଅନୁଦାନଠାରୁ ଆହୁରି ଅଧିକା ୩୪.୫କୋଟି ବଢ଼ିଯାଇଥିବା ଜୟପୁର ରାସ୍ତା କୋଠାବାଡ଼ି ବିଭାଜନ ପାଖରୁ ସୂଚନା ମିଳିଛି। ଧାର୍ଯ୍ୟସମୟରେ ଏହା ସରି ନଥିବାରୁ ସରକାରଙ୍କ ଲକ୍ଷ୍ୟ ପୂରଣ ନ ହେବା ସାଙ୍ଗକୁ ଅଧିକା ୩୪.୫କୋଟିର ଖର୍ଚ୍ଚ ବଢ଼ିଛି। ସେଭଳି ଠିକା ସଂସ୍ଥାକୁ ବି ଅଯଥାରେ ସରକାର ଅଧିକା ୬ପ୍ରତିଶତର ଜିଏସଟି ଦେବାକୁ ପଡୁଛି । ସୂଚନା ଅନୁଯାୟୀ, ଗତ ଛଅ ବର୍ଷ ତଳେ କୋରାପୁଟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମକାପୁଟସ୍ଥ ମାତୃ ଓ ଶିଶୁ ଡାକ୍ତରଖାନା(ଜୟପୁର)କୁ ସ୍ଥାନାନ୍ତର ହୋଇଥିଲା।

Advertisment

ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ିବା ପରେ ଅନ୍ତଃବିଭାଗରେ ଶହେ ଶଯ୍ୟାରୁ ଶହେ ସତୁରିକୁ ବୃଦ୍ଧି କରାଯାଇଥିଲା। ତା ବାଦେ ବି ରୋଗୀ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ୁଛି। ତେବେ ସବୁ ରୋଗୀଙ୍କୁ ସବୁ ୱାର୍ଡରେ ଗତ କିଛି ଦିନ ହେବ ଶଯ୍ୟା ମିଳିପାରୁନି। ଅପରପକ୍ଷରେ ରାଜ୍ୟ ସରକାର ଏସବୁ ଚିନ୍ତା କରି ୯୯.୮୫କୋଟି ଟଙ୍କା ବ୍ୟୟରେ ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଡିଏଚଏଚ କରିବାକୁ ଚିନ୍ତା କରିଥିଲେ। ୮୦କୋଟିରେ ଟେଣ୍ଡର ନେଇ ଠିକା ସଂସ୍ଥା ୨୦୨୧ମସିହାରେ କାମ ଆରମ୍ଭ କରିଥିଲା। ପ୍ରଥମରୁ ଉପଯୁକ୍ତ ଡିଜାଇନ୍ ଆଦି ଠିକା ସଂସ୍ଥାକୁ ମିଳି ନ ପାରିବାରୁ କାମ କରିବାରେ ବିଳମ୍ବ ହୋଇଛି ବୋଲି ଠିକାସଂସ୍ଥାର ଜଣେ ଅଧିକାରୀ ସଫେଇ ଦେଇଛନ୍ତି। କାମରେ ବିଳମ୍ବ ଏବଂ ଧିରେ ଧିରେ କଂଚାମାଲ ସିମେଣ୍ଟ, ଲୁହାଛଡ଼, ବାଲି, ବଜୁରୀ ଆଦିର ବଜାର ଦର ବି ବୃଦ୍ଧି ପାଇବା ସହ ମିସ୍ତ୍ରୀ, କୁଲି ମଜୁରୀ ବି ବୃଦ୍ଧି ପାଇଛି। ଏସବୁ ବୃଦ୍ଧି ପାଇବା ପରେ ଧୀରେ ଧୀରେ ପୂର୍ବ ବଜେଟ ଠାରୁ ଏହାର ନିର୍ମାଣ ଖର୍ଚ୍ଚ ବଢ଼ି ଚାଲିଛି। ଏବେ ୧୩୪କୋଟିରେ ପହଚିଂଛି। ବଳକା ୩୪.୫କୋଟି ପାଇଁ ପୁନଃ ଅନୁମୋଦନ ପାଇଁ ପୁଣି ରାଜ୍ୟ ସରକାରଙ୍କ ନିକଟକୁ ରାସ୍ତା ଓ କୋଠାବାଡ଼ି ବିଭାଜନ ପକ୍ଷରୁ ପଠାଯିବ ବୋଲି ସୂଚନା ମିଳିଛି।

ଗତ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଜିଏସଟି ୧୨ପ୍ରତିଶତ ରହିଥିବାବେଳେ ଏବେ ଜିଏସଟି ୧୮ପ୍ରତିଶତ ହୋଇଛି। ଅଧିକା ୬ପ୍ରତିଶତ ଜିଏସଟି ଟଙ୍କା ବି ରାଜ୍ୟ ସରକାର ଠିକାଦାରଙ୍କୁ ଏବେ ଦେବାକୁ ପଡୁଛି। ଏଭଳିକି ପୂର୍ବ ଯୋଜନାରେ ୨ଟି ଲିଫଟ୍ ରହିଥିବା ବେଳେ ଏବେ ନୂଆରେ ଅଧିକା ପୁଣି ୪ଟି ଲିଫ୍ଟ ଏଭଳି ୬ଟି ଲାଗୁଛି। ସେଭଳି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଛୋଟରୁ ବଡ଼ କରାଯାଉଥିବା ଏବଂ ବୈଦ୍ୟୁତିକ ଉପକରଣରେ ବି ବ୍ୟାପକ ପରିବର୍ତ୍ତନ ଓ ଅଧିକା ଲଗାଯାଉଥିବା ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି। ବାହାରର ସବୁ କାମ ସରିଥିବାବେଳେ କୋଠା ଗୁଡିକର ଭିତରର କାମ ଶେଷ ପର୍ଯ୍ୟାୟରେ ରହିଥିବା ରାସ୍ତା ଓ କୋଠାବାଡ଼ି ବିଭାଜନରୁ ସୂଚନା ମିଳିଛି। ପେବୃଆରୀ ଶେଷ ସୁଦ୍ଧା କାମ ସାରିବା ସହ ମାର୍ଚ୍ଚରେ ପୁନଃ ତଦାରଖ ଏବଂ ହସ୍ତାନ୍ତର ଓ ଏପ୍ରିଲ ସୁଦ୍ଧା ନୂଆ କୋଠାରେ ଡିଏଚଏଚ୍ ଆରମ୍ଭ କରିବା ଯୋଜନା ରହିଥିବା ସୂଚନା ମିଳିଛି। ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ଏହି ଡିଏଚଏଚକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ରାଜ୍ୟ ସରକାରଙ୍କ ଯୋଜନା ରହିଥିବା ସୂଚନା ମିଳିଛି।