ଢିଙ୍କିଆରେ ଫେରୁଛି କି ସ୍ବାଭାବିକ ଅବସ୍ଥା: ପ୍ରଥମ ଦିନରେ ୫୦ରୁ ଅଧିକ ପାନବରଜ ମାପଚୁପ

ଜଗତସିଂହପୁର: ଆଜି ପ୍ରଶାସନ ଢିଙ୍କିଆ ଗାଁରେ ପହଞ୍ଚି ପାନବରଜ ମାପଚୁପ ଆରମ୍ଭ କରିଛି। ଯେଉଁ ଗାଁରେ ପ୍ରଶାସନ ପଶିବା ପାଇଁ ସମସ୍ୟା ହେଉଥିଲା, ଆଜି ସେଠାରେ ବରଜ ମାପଚୁପକୁ ଜୋରଦାର କରାଯାଇଛି। ପ୍ରଥମ ଦିନରେ ୫୦ରୁ ଅଧିକ ବରଜ ମାପଚୁପ ହୋଇଥିବା ବେଳେ ଅଧିକାଂଶ ଲୋକ ଏହାକୁ ସମର୍ଥନ ପାଇଁ ବାହାରୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାପଚୁପ ସ୍ଥାନରେ କେହି ଜଣେ ବି ଆନ୍ଦୋଳନକାରୀଙ୍କୁ ଦେଖିବାକୁ ମିଳିନଥିଲା। ବରଂ ଲୋକଙ୍କ ସହମତିରେ ସବୁକିଛି ଚାଲିଥିବା ଦେଖିବାକୁ ମିଳିଥିଲା। ଆଜି ପ୍ରଶାସନର ତିନିଟା ଟିମ୍ ପାନବରଜ ଭଙ୍ଗା ଓ ମାପଚୁପ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ଗାଁରେ ପ୍ରସନ୍ନ ସାହୁ, ବାପୁ ରାଉତ, ଟୁକ ରାଉତ, ରମେଶ ମଲ୍ଲିକ ଓ ଶଙ୍କର ମଲ୍ଲିକଙ୍କ ଭଳି ବହୁ ଲୋକ ଉପସ୍ଥିତ ରହି ବରଜ ମାପଚୁପ କରାଇଥିବା ବେଳେ ସେଥିରୁ ୩୫ଟି ବରଜ ଭଙ୍ଗା ଯାଇଛି। ଏ ସମସ୍ତ ବରଜ ଢିଙ୍କିଆ, ମାହାଳ ଓ ପାଟଣା ଗାଁରେ ରହିଛି। ଆଜି ସୁଦ୍ଧା ୪୦୦ରୁ ଊର୍ଦ୍ଧ୍ବ ବରଜ ମାପଚୁପ ଶେ‌ଷ ହୋଇଛି। ଗତ ଦୁଇ ଦିନ ହେଲା ଏହି ଗାଁର ଲୋକମାନେ ବରଜ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ।

ଯେଉଁମାନଙ୍କ ସହମତି ଓ ସହଯୋଗ ରହିଛି ‌ସେମାନଙ୍କ ବରଜ ମାପଚୁପ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କମ୍ପାନି ପକ୍ଷରୁ ମାହାଳ ସୀମାରେ ହୋଇଥିବା ଅସ୍ଥାୟୀ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକେ ସେମାନଙ୍କ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରୁଥିବା ବେଳେ ବିଭିନ୍ନ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରୁଛନ୍ତି। ଏମିତି ସ୍ଥିତି ବଜାୟ ରହିଲେ, ଢିଙ୍କିଆକୁ ଖୁବଶୀଘ୍ର ସ୍ବାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶା କରାଯାଉଛି। ଆନ୍ଦୋଳନକାରୀମାନଙ୍କୁ ଘରକୁ ଫେରି ଆସିବା ପାଇଁ ପୁଲିସ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି। ଆଦୌ ଗିରଫଦାରୀ କରାଯିବ ନାହିଁ ବୋଲି ଖୋଦ୍ ଏସପି ମଧ୍ୟ ପ୍ରତିଶ୍ରୁତି ଦେଇଥିବାରୁ ପୁଲିସ ଭୟରେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ଆନ୍ଦୋଳନକାରୀମାନେ ଗାଁକୁ ଫେରିବା ପାଇଁ ମନ ବଳାଉଥିବା ଜଣାପଡ଼ିଛି। ତଥାପି ଆଗାମୀ ଦିନରେ ଉଭୟ ପୁଲିସ ଓ ଆନ୍ଦୋଳନକାରୀମାନଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର