ନାବାଳିକା ଦିବ୍ୟାଙ୍ଗ ମନୀଷା ଭତ୍ତା ଯୋଜନାରେ ସାମିଲ ହେବ କେବେ

ଖଡ଼ିଆଳ: ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏହାର ଉଦ୍ଦେଶ୍ୟ ଦିବ୍ୟାଙ୍ଗମାନେ ସେସବୁର ସୁବିଧା ପାଇ ଉପକୃତ ହେବେ। ହେଲେ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନଙ୍କ ବେପରୁଆ ମନୋବୃତ୍ତି ଯୋଗୁ ସେସବୁ ଯୋଜନାର ଲାଭ ପ୍ରକୃତ ହିତାଧିକାରୀ ପାଇ ପାରୁନଥିବା ନଜରକୁ ଆସିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତରେ।

ନେହେନା ଗ୍ରାମର ପ୍ରହଲ୍ଲାଦ ବିଶି (୮) ଜଣେ ଗରିବ ଶ୍ରେଣୀର ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ ଯାହା ରୋଜଗାର କରନ୍ତି ତାହା ସାତ ଜଣିଆ ପରିବାର ପାଇଁ ନିଅଣ୍ଟ ହେଉଥିବା ବେଳେ ବୋଝ ଉପରେ ନଳିତା ବିଡା ସଦୃଶ। ୯୦ ପ୍ରତିଶତ ଦିବ୍ୟାଙ୍ଗ ନାବାଳିକା ଝିଅ ମନୀଷାର ଆଖି ଦିଶୁ ନାହଁ, ଶୁଣି ପାରୁନଥିବା ବେଳେ ଗୋଡ ହାତ ଚାଲୁ ନାହିଁ ଫଳରେ ସେ ଶଯ୍ୟାସାୟୀ ହୋଇ ଆଠ ବର୍ଷ ହେଲା ପଡିରହିଛି।

ଏକ ବର୍ଷ ସାତ ମାସ ହେଲା ମନୀଷାକୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଛି। ମନୀଷାକୁ ୨୦୧୯ ଫେବ୍ରୁଆରି ୨୫ରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଥିଲା। ହେଲେ ପ୍ରହଲ୍ଲାଦ ବିଶି ଝିଅର ଦିବ୍ୟାଙ୍ଗ ଭତ୍ତା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଭତ୍ତା ପାଇଁ ବାରମ୍ବାର ଫର୍ମ ଦେଇ ଗୁହାରି କରୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବାରୁ ତାଙ୍କ ଝିଅର ଭତା ହେଉନଥିବା ଅଭିଯୋଗ କରିଛନ୍ତି। ଗତ ପନ୍ଦର ଦିନ ତଳେ ନେହେନା ପଞ୍ଚାୟତର ଚାଳିଶ ଜଣ ବ୍ୟକ୍ତିଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି। ପଞ୍ଚାୟତ କର୍ତ୍ତୃପକ୍ଷ ଯଦି ଧ୍ୟାନ ଦେଇଥାନ୍ତେ ତାହେଲେ ମୋର ଦିବ୍ୟାଙ୍ଗ ଝିଅ ମଧ୍ୟ ଭତ୍ତା ପାଇ ପାରିଥାନ୍ତା ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ମାଆ ମଧ୍ୟ ଦିବ୍ୟାଙ୍ଗ ଝିଅ ମନୀଷା ପାଖରେ ରହି କାମ ଧନ୍ଦା ନକରି ସେବାରେ ଲାଗିଛନ୍ତି। ଫଳରେ ଏହି ପରିବାର ପ୍ରତି ପୋଷଣ କରିବାରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ବେଳେ ଏହି ଦିବ୍ୟାଙ୍ଗ ଝିଅ ମନୀଷାଙ୍କ ଉପରେ ମାସିକ ଦୁଇ ହଜାର ଟଙ୍କାର ଔଷଧ ଲାଗୁଥିବା ବାପା ପ୍ରହଲ୍ଲାଦ ବିଶି ପ୍ରକାଶ କରିଛନ୍ତି।

ଏପରି ଦୁର୍ଦ୍ଦିନରେ ଥିବା ପରିବାରକୁ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବିକଳାଙ୍ଗ ଭତ୍ତା ଯୋଗାଇ ଦେବା ସହ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରି ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର