ନୀଳଗିରି: ସରକାରୀ ବ୍ୟବସ୍ଥା ସାହାରା ନୁହେଁ, କଷଣ ଦେଉଛି। ଜଣେ ଦିବ୍ୟାଙ୍ଗ ଭତ୍ତା ପାଇଁ ବାରମ୍ବାର ଆବେଦନ କରୁଥିଲେ ବି ତାଙ୍କୁ ଭତ୍ତା ମିଳିପାରୁନି। ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ପ୍ରମାଣପତ୍ର ଦିଆଯାଉନି। ଏପରି ସମୟରେ ସେ ବହୁ କଷ୍ଟରେ ଘୁସୁରି ଘୁସୁରି ବ୍ଲକ୍‌ କାର୍ଯ୍ୟାଳୟ ଆସି ବିଡିଓଙ୍କୁ ସମସ୍ୟା କଥା କହୁଛନ୍ତି। ହେ​ଲେ ସମାଧାନ ହେଉନି। ଆଜି ମଧ୍ୟ ଦିବ୍ୟାଙ୍ଗ ଜଣକ ବିଡିଓଙ୍କ ନିକଟକୁ ଗୁହାରି ପାଇଁ ଆସିଥିଲେ। ଘୁସୁରି ଘୁସୁରି ଆସିବା କଷ୍ଟ ହେଉଥିବା ଯୋଗୁଁ ଏଥର ସେ ଜଣେ ସହୃଦୟ ବ୍ୟକ୍ତିଙ୍କ ଟ୍ରଲିରେ ଆସିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍‌ କାର୍ଯ୍ୟାଳୟରେ।

Advertisment

ନୀଳଗିରି ବ୍ଲକ୍‌ କେପିଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ରୁହିଆ ସିଂ’ଙ୍କ ପୁଅ ବିଜୟ ସିଂ (୫୧) କିଛି ବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ତାଙ୍କର ଦୁଇଗୋଡ଼ କାମ କରି ନଥିଲା। ସେ ଦିବ୍ୟାଙ୍ଗ ପାଲଟିଯାଇଥିଲେ। ଏବେ ପରିବାର ପ୍ରତିପୋଷଣ ପାଇଁ ସେ ଭିକ୍ଷା ମାଗନ୍ତି। ଦିବ୍ୟାଙ୍ଗ ଭତ୍ତା ମିଳିଲେ ଚଳିବା ଟିକେ ସହଜ ହେବ ଭାବି ବିଜୟ ବାରମ୍ବାର ଆବେଦନ କରୁଛନ୍ତି। ହେଲେ ତାଙ୍କୁ ଭତ୍ତା ମିଳୁନି। ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ପ୍ରମାଣପତ୍ର ଦିଆଯାଉନି। ଗତ ଜୁଲାଇ ୩୧ ତାରିଖ ଦିନ ଭୀମଭୋଇ ଦିବ୍ୟାଙ୍ଗ ଚିହ୍ନଟ ଶିବିରରେ ତାଙ୍କ ନାମ ୨୧୦୮/୧୫୧୦୪୪୪ ନମ୍ବରରେ ପଞ୍ଜୀକୃତ ହୋଇଥିଲେ ବି କିଛି ଫଳ ମିଳିନି। ଆଜି ମଧ୍ୟ ଦିବ୍ୟାଙ୍ଗ ବିଜୟ ବିଡିଓ ରାହୁଲ ମଣ୍ଡଳଙ୍କ ନିକଟକୁ ଗୁହାରି କରିବା ପାଇଁ ଆସିଥିଲେ। ଘୁସୁରି ଘୁସୁରି ଆସିବା କଷ୍ଟ ହେଉଥିବା ଯୋଗୁଁ ଏଥର ସେ ଏକ ଟ୍ରଲିରେ ଆସିଥିବା ଦେଖିବାକୁ ମିଳିଥିଲା। ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଟ୍ରଲିରେ ଆଣିଥିଲେ।
ତେବେ ଏନେଇ ବିଡିଓ ଶ୍ରୀ ମଣ୍ଡଳଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ବିଜୟଙ୍କୁ ତୁରନ୍ତ ଏକ ଟ୍ରାଇସାଇକେଲ୍‌ ଦେବା ସହ କିପରି ଶୀଘ୍ର ଭତ୍ତା ଟଙ୍କା ମିଳିବ, ସେନେଇ ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।

ଉଲ୍ଲେଖ ଥାଉକି କେବଳ ବିଜୟ ନୁହଁନ୍ତି, ନୀଳଗିରି ବ୍ଲକ୍‌ରେ ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯେଉଁମାନେ ଭତ୍ତା ନପାଇ ନାନା ହଇରାଣ ହେଉଛନ୍ତି। ସେହିପରି ଅନେକ ବୃଦ୍ଧବୃଦ୍ଧା ଓ ବିଧବା ଅଛନ୍ତି ଯେଉଁମାନେ ଭତ୍ତାରୁ ବଞ୍ଚିତ ଅଛନ୍ତି। ତେଣୁ ତୁରନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଭତ୍ତା ପ୍ରଦାନ କରିବାକୁ ଲୋକେ ଦାବି କରିଛନ୍ତି।