ଜିଲ୍ଲାପାଳ-ଏସ୍‌ପିଙ୍କ ଅଭିଯୋଗ ଶୁଣାଣି ଶିବିରରେ ବିଷ ପିଇଲେ ଦିବ୍ୟାଙ୍ଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ ସରଭଣା ବିବେକ୍‌ ଏମ୍‌ ସୋମବାର ମିଳିତ ଭାବେ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଥିବା ବେଳେ ଜଣେ ଦିବ୍ୟାଙ୍ଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଦିବ୍ୟାଙ୍ଗ ଜଣକ ହେଲେ ବାଳକୃଷ୍ଣ ଦୋରା।

ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାପାଳ ଶ୍ରୀ ପରିଡ଼ା ଓ ବ୍ରହ୍ମପୁର ଏସ୍‌ପି ଶ୍ରୀ ବିବେକ୍‌ ଜିଲ୍ଲାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଶିବିିରରେ ଯୋଗ ଦେଇଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଦିବ୍ୟାଙ୍ଗ ଅଭିଯୋଗକାରୀ ତଥା ପତାଣ୍ଡ ଗାଁର ବାଳକୃଷ୍ଣ ଦୋରା ବିଷ ପିଇଦେଇଥିଲେ। ତାଙ୍କୁ ଦିଗପହଣ୍ଡି ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ଉଦ୍ଧାର କରି  ପୁଲିସ ଭ୍ୟାନ୍‌ରେ ବସାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ବିଷ ପଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦିବ୍ୟାଙ୍ଗ ଶ୍ରୀ ଦୋରା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ ଆବେଦନରୁ ଜଣାଯାଏ ଯେ, ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଲାଞ୍ଚ ଦେଇପାରି ନ ଥିବାରୁ, ତାଙ୍କ ଘରର ଜାଗା ସଠିକ୍‌ ଭାବ‌ରେ ଚିହ୍ନଟ ହୋଇପାରୁ ନଥିଲା। ତେଣୁ ସେ ବାଧ୍ୟ ହୋଇ ବିଷ ପିଇ ଆତ୍ମହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଆବେଦନରେ ଶ୍ରୀ ଦୋରା ଆହୁରି ମଧ୍ୟ ଲେଖିଛନ୍ତି ଯେ, ସେ ହେଉଛନ୍ତି ୯୦ ପ୍ରତିଶତ ଦିବ୍ୟାଙ୍ଗ, ତାଙ୍କର ବାପା ଜାମାନୁ ଭିକାରୀ ଦୋରା ୭୦ ପ୍ରତିଶତ ଦିବ୍ୟାଙ୍ଗ ଓ ଭାଇ ମାନସିକ ରୋଗୀ। ସେମାନେ ଯେତେବେଳେ ଛୋଟ ଥିଲେ, ପଡୋଶୀ ତାଙ୍କର ଏକ ଜାଗାକୁ ୩୦ ବର୍ଷ ହେଲା ଅକ୍ତିଆର କରି ନେଇଛନ୍ତି। ତେଣୁ ତାଙ୍କର ନିଜର ଜାଗା ଚିହ୍ନଟ ପାଇଁ ସେ ବାରମ୍ବାର ରାଜସ୍ବ ନିରୀକ୍ଷକଙ୍କ ପାଖକୁ ଦୌଡୁଥିଲେ ମଧ୍ୟ ତାଙ୍କ କଥା ଶୁଣୁନାହାନ୍ତି। ତେବେ ତାଙ୍କର ଘର ଜମି ଚିହ୍ନଟ ହୋଇପାରି ନଥିବାରୁ ବିଷ ପିଇ ଦେଇଥିଲେ।

 

ସମ୍ବନ୍ଧିତ ଖବର