ବୀରମହାରାଜପୁର/ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ମଝିପଡ଼ାର ୧୩ ବର୍ଷ ବୟସର ଝିଅ ଦିବ୍ୟାଶା ପ୍ରିୟଦର୍ଶିନୀ ଚୋପଦାର ଜାତୀୟ ସ୍ତରରେ ସୁଟିଂର କମାଲ ଦେଖାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଡା. କରନୀ ସିଂ ସୁଟିଂ ରେଞ୍ଜରେ ୧୮ ନଭେମ୍ବରରୁ ୬ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଜାତୀୟ ପିସ୍ତଲ ସୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାରୁ ପ୍ରତିନିଧିତ୍ବ କରି ୧୦ ମିଟର ଏୟାର ପିସ୍ତଲ (ସବ୍ୟୁଥ)ରେ ୫୨୮ ଅଙ୍କ ହାସଲ କରି ଜାତୀୟ ରିନାଉନ୍ ସୁଟର ଯୋଗ୍ୟତା ହାସଲ କରିଛନ୍ତି। ଫଳରେ ଖୁବ୍ କମ ଦିନରେ ଦିବ୍ୟାଶା ଭାରତୀୟ ଦଳରେ ଯୋଗଦେବାର ଆଶା ଉଜ୍ଜ୍ବଳ ହୋଇଛି। ଦିବ୍ୟାଶା ରିନାଉନ୍ ସୁଟର ଯୋଗ୍ୟତା ହାସଲ ପରେ ଖେଳିବା ପାଇଁ ବିଦେଶରୁ ବନ୍ଧୁକ/ପିସ୍ତଲ ଆମଦାନୀରେ ଜିଏସ୍ଟି ଛାଡ଼ ପାଇବେ ଏବଂ ସିଧାସଳଖ ୨ବର୍ଷ ପର୍ଯ୍ୟନ୍ତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାରିବେ।
ଦିବ୍ୟାଶାଙ୍କ କହିବା କଥା ଯେ ଓଡ଼ିଶା ରାଇଫଲ୍ ଆସୋସିଏସନ୍ର ସହଯୋଗ ଫଳରେ ଏହା ସମ୍ଭବ ହୋଇପାରିଛି। ଆହୁରି ପରିଶ୍ରମ କରି ଜାତୀୟ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଅଂଶଗ୍ରହଣ ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳି ନାହିଁ। ଏଣୁ ସ୍ପନସର୍ସିପ୍ ପାଇଁ ସରକାରୀ/ବେସରକାରୀ ସଂସ୍ଥାକୁ ଅନୁରୋଧ କରିଛନ୍ତି। ଦିବ୍ୟାଶା ହେଉଛନ୍ତି ସୋନପୁର ମଝିପଡ଼ା ନିବାସୀ ଦିଲୀପ ଚୋପଦାର ଓ ସୁସୁଶ୍ରୀ ପାତ୍ରଙ୍କ ଝିଅ। ଦିବ୍ୟାଶା ଏବେ ତାଳଚେର ଏମ୍ସିଏଲ୍ ଡିଏଭି ପବ୍ଲିକ୍ ସ୍କୁଲ୍ରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି। ତାଙ୍କର ଏହି ସଫଳତା ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳାଇଛି।