ଚାଲିଗଲେ ମହିଳା ଫୁଟବଲ ଜଗତର ଅନ୍ୟତମ ଦ୍ରୋଣାଚାର୍ଯ୍ୟ

ଅଧା ରହିଗଲା ମୟୂରଭଞ୍ଜରେ ମହିଳା ଫୁଟବଲ ଏକାଡେମୀ ପ୍ରତିଷ୍ଠା ସ୍ୱପ୍ନ

ବାରିପଦା,: ସ୍ଥିର ହୋଇଗଲେ ବାରିପଦାର ଫରୱାର୍ଡ ପୁଅ ତଥା ରାଜ୍ୟ ମହିଳା ଫୁଟବଲ ଜଗତର ଅନ୍ୟତମ ଦ୍ରୋଣାଚାର୍ଯ୍ୟ ନନ୍ଦ କିଶୋର ପଟ୍ଟନାୟକ ଓରଫ ଟୁଟୁ। ଜଣେ ଦକ୍ଷ ଫୁଟବଲ ଖେଳାଳୀ ହେବା ସହିତ ରାଜ୍ୟରେ ମହିଳା ଫୁଟବଲ ର ସେ ଥିଲେ ପ୍ରମୁଖ ସାରଥୀ। ଗତକାଲି ରାତିରେ କରୋନାରେ ଅକାଳରେ ଚାଲିଯାଇଛନ୍ତି ସମସ୍ତଙ୍କର ପ୍ରିୟ ଟୁଟୁ।

ବାରିପଦା ସହର ବାଘରାରୋଡ଼ର ଅଧିବାସୀ ମାତା ସୁରଭିବାଳା ଏବଂ ପିତା ସ୍ବର୍ଗତ ଅନୀଲ ଚନ୍ଦ୍ର ପଟ୍ଟନାୟକଙ୍କ ଔରଶ ରୁ ଜନ୍ମଲାଭ କରିଥିଲେ ଫୁଟବଲ ଜଗତର ଏହି ମହାରଥୀ।ପିଲାଟିବେଳୁ ତାଙ୍କ ନିକଟରେ ଫୁଟିଉଠିଥିଲା କ୍ରୀଡା ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତା। ଫଳରେ ବାରିପଦାର ଇଣ୍ଡିପେଣ୍ଡେଣ୍ଟ କ୍ଳବରୁ ଆରମ୍ଭ କରିଥିଲେ ଫୁଟବଲ ଖେଳ। ପାଦରେ ପିନ୍ଧିଥିଲେ ବୁଟ। ଯାହାକି ଗତକାଲି ମଧ୍ୟରାତ୍ରରୁ ସ୍ଥିର ହୋଇଯାଇଛି। ତେବେ ଚାକିରୀ ଜୀବନରୁ ଅଵସର ପରେ ମୟୂରଭଞ୍ଜରେ ଏକ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଥିଲେ ଟୁଟୁ। ଏନେଇ ସେ ପ୍ରାଥମିକ ପ୍ରକ୍ରିୟା ମଧ୍ୟା ଆରମ୍ଭ କରିଥିଲେ।

ଏହି ଫୁଟବଲ ଏକାଡେ଼ମୀ ରେ ମହିଳା ଫୁଟବଲ ର ବିକାଶ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନେଇ ସ୍ୱପ୍ନ ରଖିଥିଲେ କମଲ ଗାଙ୍ଗୁଲି ଶ୍ରେଷ୍ଠ କୋଚ ସମ୍ମାନିତ ଟୁଟୁ। ମାତ୍ର ଓଡ଼ିଶାର ମହିଳା ଫୁଟବଲର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବା ନନ୍ଦ କିଶୋର କିନ୍ତୁ ନିଜ ଜନ୍ମ ମାଟିରେ ଏହି ସ୍ୱପ୍ନ ପୂରଣ କରୁ କରୁ ଅଫେରା ରାଇଜକୁ ଚାଲିଗଲେ। ବାରିପଦାର ଶରତ ଚନ୍ଦ୍ର ବିଦ୍ୟାପୀଠରୁ ହାଇସ୍କୁଲ ପଢିଥିବା ଟୁଟୁ ଏମପିସି ମହାବିଦ୍ୟାଳୟ ରେ କଲେଜ ପଢିଥିଲେ। ବାରିପଦାର ଏକ ପ୍ରମୁଖ କ୍ଲବ ଇଣ୍ଡିପେଣ୍ଡେଣ୍ଟ କ୍ଳବରୁ ୧୯୭୧-୮୫ ପର୍ୟ୍ଯନ୍ତ ପ୍ରତିନିଧିତ୍ଵ କରିଥିଲେ। ଏହି କ୍ଳବରୁ ଖେଳ ଆରମ୍ଭ କରିଥିବା ଟୁଟୁ ନିଜର ବିଚକ୍ଷଣ ପ୍ରତିଭା ବଳରେ ସମ୍ପୂର୍ଣ୍ଣ ମୟୂରଭଞ୍ଜରେ ସୁନାମ ପ୍ରତିଷ୍ଠା କରିଥିଲେ। ବାରିପଦାରେ ଖେଳୁ ଖେଳୁ ହିଁ ୧୯୭୭ ଏବଂ ୧୯୭୮ରେ ଓଡ଼ିଶା ପକ୍ଷରୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ବାରିପଦା ଷ୍ଟାଡିୟମରେ ଖେଳ ଜୀବନ ଆରମ୍ଭ କରିଥିବା ଟୁଟୁ ଙ୍କୁ ଆଜି ଝୁରୁଛି ଏହି ଷ୍ଟାଡିୟମ। ଅଵସର ପରେ ନିଜ ଜନ୍ମ ମାଟିରେ ରହି ଏହି କ୍ରୀଡ଼ା ରେ ବାକିତକ ଜୀବନ ବିତାଇବାର ଲକ୍ଷ୍ୟ ରଖିଥିଲେ। ବାଘରାରୋଡ଼ସ୍ଥିତ ନିଜ ଘରେ ଟୁଟୁ ଙ୍କ ମା ଓ ପରିବାର ବାସ କରୁଛନ୍ତି।

୧୯୭୯ରେ ଏଜି ରେ ଚାକିରୀ କରିଥିଲେ। ବାରିପଦାର ପୁଅ ଟୁଟୁ ନିଜର ଅସାଧାରଣ ଦକ୍ଷତା କାରଣରୁ କଟକର ପ୍ରସିଦ୍ଧ କ୍ଲବ ଜୟ ଦୁର୍ଗା କ୍ଲବ ସମେତ ଭୁବନେଶ୍ୱରର କ୍ଲବ ୭୩ରେ ମଧ୍ୟ ନିଜର ଫୁଟବଲ ଡ୍ରିବଲିଙ୍ଗର ଛାପ ଛାଡିଥିଲେ। ୨୦୦୯ରେ ନକ୍ଷତ୍ର ବୀର ଓଡ଼ିଆ ପୁରସ୍କାର, ୨୦୧୦ରେ ରାଜୀବ ରତ୍ନ, ୨୦୧୧ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସିଏନଏନ ଆଇବିଏନ ମୁମ୍ବାଇ ପକ୍ଷରୁ ରିଅଲ ହିରୋ ଆୱାର୍ଡ, ୨୦୧୨ରେ ଆଶୋକ ପଟ୍ଟନାୟକ ସ୍ମୃତି ସମ୍ମାନ, ୨୦୧୪ରେ କମଲ ଗାଙ୍ଗୁଲି ଶ୍ରେଷ୍ଠ କୋଚ୍ ସମ୍ମାନ, ଦୂରଦର୍ଶୀ ଶ୍ରେଷ୍ଠ କୋଚ୍ ସମ୍ମାନ ଏବଂ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କୋଚ୍ ସମ୍ମାନରେ ସମ୍ମାନିତ ହୋଇଥିଲେ ସ୍ବର୍ଗତ ନନ୍ଦ କିଶୋର।

ଗ୍ରାମାଞ୍ଚଳରୁ ମହିଳା ଫୁଟବଲ ପ୍ରତିଭାଙ୍କୁ ଖୋଜି ସେମାନଙ୍କୁ ଷ୍ଟାର କରିପାରିବାର ଅପୂର୍ଵ ଦକ୍ଷତା ରଖିଥିଲେ ଟୁଟୁ। ତାଙ୍କର ଏପରି ଅକାଳ ବିୟୋଗରେ ମୟୂରଭଞ୍ଜର କୋଣ ଅନୁକୋଣରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନର ସମ୍ପାଦକ କିଶୋର କୁମାର ବିଶ୍ବାଳ, ଫାଓ ଉପସଭାପତି ପ୍ରଦୀପ କିଶୋର ମହାନ୍ତି, ସେଙ୍ଗଲ ସୋରେନ, ଅସିତ ପତି ପ୍ରମୁଖଙ୍କ ସମେତ ବହୁ କ୍ରୀଡ଼ାବିତ ଏବଂ ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର