ଅବସରପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିନୟ ଅଗରୱାଲାଙ୍କ ପରଲୋକ

ବାରିପଦା: ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ବିନୟ କୁମାର ଅଗରୱାଲାଙ୍କ ସତୁରୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତରାତିରେ ମୃତ୍ୟୁ ଘଟିଥିଲା ।

ଆଜି ବାରିପଦା ବାରୁଣୀ ଶ୍ମଶାନଘାଟରେ ତାଙ୍କର ବଡପୁଅ ଚନ୍ଦନ ମୁଖାଗ୍ନୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ସେ ବିଭିନ୍ନ  ସ୍ୱେଚ୍ଛାସେବୀ ସଂସ୍ଥା ସହିତ ମଧ୍ୟ ଜଡିତ ଥିଲେ । ତାଙ୍କ ପତ୍ନୀ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ସ୍ତ୍ରୀ-ପ୍ରସୂତି ବିଶେଷଜ୍ଞ ଡା. ସଞ୍ଜିବନୀ ଅଗରୱାଲା ଓ ଦ୍ୱିତୀୟ ପୁତ୍ର ବ୍ୟବସାୟୀ ରଞ୍ଜନ । ସେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଅଗରୱାଲାଙ୍କ ସାନଭାଇ ।  ମୃତ୍ୟୁ ଖବର ପାଇ ବିଭିନ୍ନ ସଂସ୍ଥା ତଥା ବ୍ୟକ୍ତିବିଶେଷ ତାଙ୍କର ବାରିପଦାସ୍ଥିତ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

ସମ୍ବନ୍ଧିତ ଖବର