ପୃଥକ୍ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

କୁକୁର ଦୌଡ଼ି ପଳାଇବାରୁ ବାଇକ୍ ଚାଳକଙ୍କ ଜୀବନ ଗଲା ଓ ଗଧ ଆସିବାରୁ ଅଟୋ ଚାଳକ, ଶିକ୍ଷୟିତ୍ରୀ ଗୁରୁତର

ଭଞ୍ଜନଗର/ଶେରଗଡ଼: ଶେରଗଡ଼ ଓ ଭଞ୍ଜନଗର ଥାନା ଅଞ୍ଚଳରେ ଆଜି ସଂଘଟିତ ପୃଥକ୍ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଶେରଗଡ଼ ଥାନା ଶେରଗଡ଼-ହିଞ୍ଜିଳିକାଟୁ ସୁନାନ୍ତର ଛକ ନିକଟ ରାସ୍ତାରେ ବାଇକ୍ ସାମ୍ନାରେ ଏକ କୁକୁର ଦଉଡ଼ି ପଳାଇବାରୁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ଧନନ୍ତର ଗାଁର ଲୋକନାଥ ବେହେରାଙ୍କ ପୁଅ ଦିଗାମ୍ବର (୧୮)।

ଉଭୟ ଗ୍ଲାମର୍‌ ବାଇକ୍‌ (ଓଡ଼ି-୦୭-ଏଇ-୭୫୪୭)ରେ ଶେରଗଡ଼ କୌଣସି କାମରେ ଆସି ବାଇକ୍‌‌ରେ ଧନନ୍ତର ଫେରୁଥିଲେ। ଏହି ସମୟରେ ସୁନାନ୍ତର ଗ୍ରାମ ଛକ ପୂର୍ବରୁ ରାସ୍ତାରେ ଏକ କୁକୁର ହଠାତ୍ ସାମ୍ନାକୁ ଆସି ଦୌଡ଼ି ପଳାଇବାରୁ ବାଇକ୍ ଭାରସାମ୍ୟ ହରାଇ କଲଭର୍ଟକୁ ପିଟି ହୋଇଯାଇଥିଲା। ଉଭୟ ଛିଟିକି ହୋଇ ପଡ଼ିବା ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଦିଗାମ୍ବରଙ୍କ ମୃତ୍ୟୁ ହୋଇଥିବା ବେଳେ ନାରାୟଣକୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଥାନା ଏସ୍‌ଆଇ ବିଦେଶୀ ସେଠୀ ଓ ଏଏସଆଇ ବିଷ୍ଣୁପ୍ରସାଦ ଦାଶ ଶେରଗଡ଼ ଡାକ୍ତରଖାନାକୁ ଆସି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଥିଲେ।

ଅନ୍ୟପକ୍ଷରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ପୃଥକ୍ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଶିକ୍ଷକତା କରୁଥିବା ନିରୁପମା ଜେନା (୪୦) ଜଣେ ସଂପର୍କୀୟଙ୍କ ଘରକୁ ଆସି ଫେରୁଥିଲେ। ଏହି ସମୟରେ କେଏସୟୁବି କ‌ଲେଜ ସାମ୍ନାରେ କିଛି ଗଧ ହଠାତ୍ ଚାଲିଆସିବାରୁ ଧକ୍କା ଖାଇ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଫ‌ଳରେ ନିରୁପମାଙ୍କ ସମେତ ଅଟୋ ଚାଳକ ତଥା ଘୁ.ଉଦୟଗିରିର ମଣ୍ଟୁ ଜେନା ଗୁରୁତର ହୋଇଥିଲେ। ସ୍ଥାନୀୟ ଯୁବକ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ତେବେ ମଣ୍ଟୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ବଡ଼କୋଦଣ୍ଡା ଗ୍ରାମର କାର୍ତ୍ତିକ ପଲେଇ(୩୬) ବେଲଗୁଣ୍ଠା ବ୍ଳକ୍‌ ମଙ୍ଗଳପୁରକୁ ଯାଇ ଫେରୁଥିବା ବେଳେ ଆମ୍ବପୁଆ ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପଢାଳ ଗ୍ରାମର ଗୋବିନ୍ଦ ଜେନା ସାଇକେଲରେ ଗାଁକୁ ଫେରୁଥିବା‌ ବେଳେ ଭଞ୍ଜନଗର ବସଷ୍ଟାଣ୍ଡ୍‌ ନିକଟରେ ଏକ ଗାଡ଼ି ସହ ଧକ୍କା ହେବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର