ଭୁବନେଶ୍ବର: ରାଜ୍ୟରେ ପ୍ରତ୍ୟେକ ଦିନ ଅନେକ ଜୀବନ ଯାଉଛି। ହତ୍ୟା, ଆତ୍ମହତ୍ୟା, ଦୁର୍ଘଟଣାରେ କୁଢ଼ କୁଢ଼ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଆଜି ଆମେ ନିମ୍ନରେ ବିଭିନ୍ନ କ‌ାରଣରୁ ରାଜ୍ୟରେ ଜୀବନ ହରାଇଥିବା କିଛି ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରିଛୁ।

Advertisment

ମିଳିମିଶି ଚୋରି କଲେ, ଭାଗ ଛିଡ଼ିଲାନି ବୋଲି ମାରିଦେଲେ

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ପିଏଚ୍‌ଡି ପଡ଼ିଆ ନିକଟରେ ଜଣେ ନାବାଳକଙ୍କୁ ତାର ୨ ଜଣ ସହଯୋଗୀ ମାଡ଼ ମାରି ହତ୍ୟା କରିଛନ୍ତି। ମୋବାଇଲ୍‌ ଚୋରି କରିବା ପରେ ୩ ଜଣଙ୍କ ମଧ୍ୟରେ ଭାଗବଣ୍ଟାକୁ ନେଇ ଯୁକ୍ତିତର୍କ ହେବା ସହ ୨ ଜଣ ମିଶି ଜଣେ ୧୦ ବର୍ଷର ନାବାଳକକୁ ହତ୍ୟା କରିଛନ୍ତି।
ସୂଚନାନୁଯାୟୀ, କେନାଲପଡ଼ାର ୨ ଜଣ ପିଲା କରମଟୋଲିର ମିନମିନି ଜାମୁଡାଳିଆଙ୍କ ପୁଅ ଦେବା ଜାମୁଡିଲିଆ(୧୦)ଙ୍କୁ ପିଏଚ୍‌ଡି ପଡ଼ିଆକୁ ଦିନ ୧୧ଟା ପାଖାପାଖି ଡାକି ନେଇଥିଲେ। ସେଠାରେ ମୋବାଇଲ୍‌ ଚୋରିକୁ ନେଇ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କେନାଲପଡ଼ାର ୨ ଦୁର୍ବୃତ୍ତ ରାଗିଯାଇ ଦେବାଙ୍କୁ ମାଡ଼ ମାରି ଅଚେତ କରିଦେଇଥିଲେ। ତାପରେ ଉଭୟ ଦୁର୍ବୃତ୍ତ ଦେବାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ)ରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ଡାକ୍ତର ଯାଞ୍ଚ କରିବା ପରେ ଦେବାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୂଚନା ପାଇବା ପରେ ଅଇଁଠାପାଲି ପୁଲିସ ଡିଏଚଏଚରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ଦେବାଙ୍କ ମା’ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ନାବାଳକ ସମେତ ୨ ଜଣଙ୍କୁ ଧରିଥିଲା। ୧୫ ବର୍ଷର ନାବାଳକଙ୍କୁ ଅଟକ ରଖାଯାଇଥିବା ବେଳେ କେନାଲପଡ଼ାର ବିକାଶ ମୁଣ୍ଡା(୧୯)କୁ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବିକାଶ ମୁଣ୍ଡା ଓ ଅଟକ ଥିବା ନାବାଳକଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ସମ୍ବଲପୁର ସଦର ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି। ମଙ୍ଗଳବାର ପୁଲିସ ମୃତଦେହର ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କହାଯାଇଛି।

ପତ୍ନୀଙ୍କୁ ହାଣି ସ୍ବାମୀର ଆତ୍ମସମର୍ପଣ
ଜଳେଶ୍ୱର: ଜଳେଶ୍ୱର ଥାନା ଅଧୀନ ନିମପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ବାମୀ ଉତ୍ତ୍ୟକ୍ତ ହୋଇ ନିଜ ପତ୍ନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜଳେଶ୍ୱର ଥାନାରେ ପୁତ୍ରବଧୂ ଲିଖିତ ଅଭିଯୋଗ କରିବା ପରେ ପୁଲିସ ନ. ୪୨୬/୨୩​ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାରୁ ପ୍ରକାଶ, ଗତ ରବିବାର ସ୍ବାମୀ ଜଣକ ଜଳେଶ୍ୱର ବଜାରକୁ କୌଣସି କାମରେ ଆସିଥିଲେ। ଘରକୁ ଫେରିବା ପରେ ସେ ଖାଇବା ପାଇଁ ମାଗିଥିଲେ। ତେବେ ତାଙ୍କ ପତ୍ନୀ ଅପେକ୍ଷା କରିବାକୁ କହିବା ପରେ ସେ ହଠାତ୍ ଉତ୍ତେଜିତ ହୋଇ ଏକ କଟୁରିରେ ତାଙ୍କୁ ୪/୫ ଥର ହାଣି ପକେଇଥିଲେ। ଏହାପରେ ସ୍ବାମୀ ଜଣକ ଜଳେଶ୍ୱର ଥାନାକୁ ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କ ପତ୍ନୀଙ୍କୁ ପ୍ରଥମେ ଜଳେଶ୍ୱର ଓ ସେଠାରୁ କଟକ ଡାକ୍ତରଖାନା ନିଆଯାଇଛି। ଏବେ ଅବସ୍ଥା ସଂକଟାପନ୍ନ ରହିଛି।

ଦାମୋଦର କଟାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବିଜେପୁର: ସ୍ଥାନୀୟ ଦାମ୍ବୋଦର କଟାରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବିକାଶ ଭୁଏ (୩୦)। ସେ କୁଡ଼ାପଡ଼ାରେ ମାମୁଁ ଘରେ ରହି ମିସ୍ତ୍ରୀ କାମ କରୁଥିବାର ଜଣାଯାଇଛି। କିଛିଦିନ ହେବ ଗଙ୍ଗାଧର ମେହେର ମେଗା ପ୍ରକଳ୍ପର ମିସ୍ତ୍ରୀ କାମ କରୁଥିଲେ। କିନ୍ତୁ ମଙ୍ଗଳବାର ତାଙ୍କର ମୃତଦେହ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ବିଜେପୁର ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ବିଜେପୁର ଥାନାଧିକାରୀଙ୍କୁ ପଚରାଯିବାରୁ ଘଟଣାର ତଦନ୍ତ ଜାରି ରହିଛି। ଅଧିକ ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।

ଯୁବତୀଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ବୁଢ଼ିପଦର ଗ୍ରାମରେ ମଙ୍ଗଳବାର ଜଣେ ଯୁବତୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ସେହି ଗାଁ’ର ଯୁକ୍ତ ୩ ଛାତ୍ରୀ କିଆଫୁଲ ପରଧିଆ(୨୦)। ଏ ସମ୍ପର୍କରେ ସଦର ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି। ତେବେ କିଆଫୁଲ କାହିଁକି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଶାସନ କେନାଲରୁ ଅଜଣା ମୃତଦେହ ଉଦ୍ଧାର

ସମ୍ବଲପୁର: ଶାସନ ଥାନା ଅଧୀନ ପାଣ୍ଡିଆପାଲି ନିକଟରେ କେନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ତାଙ୍କ ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଛି। ମଙ୍ଗଳବାର ସକାଳ ୯ଟା ପାଖାପାଖି ଶାସନ କେନାଲ୍‌ ପାଣିରେ ମୃତଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମହିଳାଙ୍କର ମୃତ୍ୟୁ ୩ରୁ ୪ ଦିନ ତଳେ ହୋଇଥିବା ପୁଲିସ ଅନୁମାନ କରିଛି। ଅନ୍ୟପଟେ ତାଙ୍କୁ କେହି ହତ୍ୟା କରି ପାଣିରେ ଫୋପାଡ଼ି ଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ପକ୍ଷରୁ କହାଯାଇଛି।

ଦୁର୍ଘଟଣା ଘଟାଇ କାର୍‌ ଫେରାର୍

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ଝାରସୁଗୁଡ଼ା ବାଇପାସ୍ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଧକ୍କା ଦେଇ ଏକ କାର୍‌ ଛତିଶଗଡ଼ ପଟକୁ ଫେରାର୍‌ ହୋଇଯାଇଥିଲା। ଏନେଇ ସଦର ଥାନା ପୁଲିସର ସୂଚନା ପାଇ ବେଲପାହାଡ଼ ପୁଲିସ ଏକ କାର୍‌କୁ ଅଟକ ରଖିଥିଲା। ତେବେ କାର୍‌ଟିରେ କୌଣସି ଦାଗ ନଥିବାରୁ ତାକୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ତେବେ ଏଥିରେ କାହାରି ଜୀବନ ଯାଇନାହିଁ।