ହସଖୁସିର ମାହୋଲ୍ ଓ ବନ୍ଧୁ ପରିଜନଙ୍କ ଭିଡ଼ରେ ସରିଲା ଝିଅ ବାହାଘର। ଆଉ ଝିଅକୁ ଶୁଭବିଦାୟ ଜଣାଇବା ସହ ବରଘର ପକ୍ଷରୁ ଆୟୋଜିତ ଭୋଜିରେ ଯୋଗ ଦେଇ ଫେରୁଥିଲେ କନ୍ୟାଯାତ୍ରୀ। କିନ୍ତୁ ରାସ୍ତାରେ ଛକିଥିଲା ମୃତ୍ୟୁ। ଲୌହଦାନବ ଭଳି ବସ୍ ମାଡ଼ି ଆସି ନିମିଷକରେ ସବୁକିଛି ଛାରଖାର୍ କରିଦେଲା। ଆଉ ସିନ୍ଦୁରା ଫାଟିବା ଆଗରୁ ଏହି ମର୍ମନ୍ତୁଦ ଦୁର୍ଘଟଣାର ଖବର ସାରା ରାଜ୍ୟକୁ ସ୍ତବ୍ଧ କରିପକାଇଛି। ଆତ୍ମୀୟସ୍ବଜନଙ୍କୁ ହରାଇ ସମସ୍ତେ ଭାଙ୍ଗିପଡ଼ିଥିବା ବେଳେ ଖଣ୍ଡଦେଉଳି ଓ ମୁଜାଗଡ଼ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏହି ଛାତିଥରା ଦୁର୍ଘଟଣାର ବିଭିନ୍ନ ଅନୁଭୂତିକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା।
ଚାଲିଗଲା ୩ ଭଉଣୀଙ୍କ ଜୀବନ
ଏହି ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଚାଲିଯାଇଛି ନବବଧୂ ସୋନାଲିଙ୍କ ୩ ଭଉଣୀଙ୍କ ଜୀବନ। ସେମାନେ ହେଉଛନ୍ତି ବଡ଼ଭଉଣୀ ଶିବାନୀ ଓ ସାନଭଉଣୀ ରୁପାଲି। ଅନ୍ୟ ଜଣେ ଭଉଣୀ ହେଉଛନ୍ତି ଦାଦାଙ୍କ ଝିଅ ସୁଜ୍ଞାନୀ। ସୋନାଲିଙ୍କ ବାହାଘର ପାଇଁ ସମସ୍ତେ ବେଶ୍ ଖୁସି ଥିଲେ। ୩ ଭଉଣୀ ମିଶି ବାହାଘର ପାଇଁ ସବୁ ପ୍ରକାର ଆୟୋଜନରେ ହାତ ମିଶାଇଥିଲେ। ଭଉଣୀକୁ ଶୁଭବିଦାୟ ଦେଇ ଗତରାତିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଚାଲିଯାଇଛି। ରୁପାଲିଙ୍କୁ ତାଙ୍କର ବଡ଼ ଭଉଣୀ ସୋନାଲି ବ୍ରହ୍ମପୁରରେ ରହିଯିବାକୁ କହିଥିଲେ। ହେଲେ ପରୀକ୍ଷା ଥିବାରୁ ବାଧ୍ୟ ହୋଇ ରୁପାଲି ସେହି ବସ୍ରେ ଖଣ୍ଡଦେଉଳି ଫେରୁଥିଲେ।
ମୃତକଙ୍କ ମଧ୍ୟରେ ମୁଜାଗଡ଼ରୁ ୫
ଗତକାଲି ରାତିରେ ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଭଞ୍ଜନଗର ବ୍ଲକ୍ ମୁଜାଗଡ଼ ଗ୍ରାମରୁ ୫ ଜଣ ଅଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି। ଏହି ଦୁର୍ଘଟଣାରେ ନବବିବାହିତା କନ୍ୟା ସୋନାଲି ପ୍ରଧାନଙ୍କ ନିଜ ଭଉଣୀ ଶିବାନୀ ପ୍ରଧାନ (୨୭) ଓ ତାଙ୍କ ଏକବର୍ଷର ପୁଅ ଆଦ୍ଭିକ୍ଙ୍କ ମୃତ୍ୟୁ ଘଟିଛି। ତେବେ ଶିବାନୀଙ୍କ ସ୍ବାମୀ ସତ୍ୟଜିତ ପ୍ରଧାନ ବସ୍ରେ ନଥିବାରୁ ସେ ବର୍ତ୍ତିଯାଇଛନ୍ତି। ସେହିପରି ସୋନାଲିଙ୍କ ଦାଦାଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ (୨୭) ଓ ତାଙ୍କ ୩ ବର୍ଷର ପୁଅ ଦେବାଂଶ ପ୍ରଧାନ ପ୍ରାଣ ହରାଇଛନ୍ତି। ସୁଜ୍ଞାନୀଙ୍କ ସ୍ବାମୀ ଶୁଭେନ୍ଦୁ ପ୍ରଧାନ କଟକ ବଡ଼ ମେଡିକାଲ ଭେଣ୍ଟିଲେଟର୍ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେହିପରି ଗ୍ରାମରେ ରହୁଥିବା ଶିବାନୀଙ୍କ ପିଉସା ସଞ୍ଜୟ ମେଦିନରାୟ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଆଜି ଅପରାହ୍ଣରେ ୫ ଜଣଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା।
ଗୋଟିଏ ଜୁଇରେ ଜଳିଲା ୨ ମାଆ, ୨ ପୁଅଙ୍କ ଶବ
ମୃତକ ଶିବାନୀ ଓ ସୁଜ୍ଞାନୀ ମୁଜାଗଡ଼ ଗ୍ରାମରେ ସଂପର୍କରେ ଦୁଇଭାଇ ସତ୍ୟଜିତ୍ ଓ ଶୁଭେନ୍ଦୁଙ୍କୁ ବିବାହ କରିଥିଲେ। ଦୁଇ ଭଉଣୀ ଦୁଇ ଯାଆ ହୋଇଥିଲେ। ଅଲଗା ରହୁଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସଂପର୍କ ବେଶ୍ ମଧୁର ଥିଲା। କିନ୍ତୁ ଭଉଣୀର ବାହାଘର ସରିବା ପରେ ଉଭୟଙ୍କୁ ମୃତ୍ୟୁ କୋଳେଇ ନେଲା। ସେମାନଙ୍କ ଦୁଇପୁଅ ବି ଆରପାରିକୁ ଚାଲିଗଲେ। ଶିବାନୀ ଏବଂ ତାଙ୍କ ପୁଅ ଆଦ୍ଭିକ୍ ଗୋଟିଏ କୋକେଇ ଓ ସୁଜ୍ଞାନୀ ଏବଂ ତାଙ୍କ ପୁଅ ଦେବାଂଶକୁ ଆଉ ଏକ କୋକେଇରେ ନିଆଯାଇଥିଲା। କିନ୍ତୁ ଶ୍ମଶାନରେ ଦୁଇଭଉଣୀ ଓ ସେମାନଙ୍କ ଦୁଇପୁଅକୁ ଗୋଟିଏ ଜୁଇରେ ହିଁ ଅନ୍ତିମ ସଂସ୍କାର କରାଯାଇଥିଲା। ସେହିପରି ନିକଟରେ ସଞ୍ଜୟଙ୍କ ଶବଦାହ ହୋଇଥିଲା।
୮ ଦିନ ତଳେ ହୋଇଥିଲା ଆଦ୍ଭିକ୍ର ଜନ୍ମଦିନ ପାଳନ
ସତ୍ୟଜିତ ଓ ଶିବାନୀଙ୍କ ପୁଅ ଆଦ୍ଭିକ୍ର ପ୍ରଥମ ଜନ୍ମଦିନ ଗତ ୧୮ ତାରିଖରେ ମୁଜାଗଡ଼ ଗ୍ରାମରେ ପାଳିତ ହୋଇଥିଲା। ଅନେକ ଅତିଥି ଯୋଗ ଦେଇ ତାକୁ ଆଶୀର୍ବାଦ ଦେଇଥିଲେ। ଖେଳଣା, ବିଭିନ୍ନ ଉପହାର ଓ ରଙ୍ଗବେରଙ୍ଗର ପୋଷାକରେ ଘର ଭର୍ତ୍ତି ହୋଇଯାଇଥିଲା। ଅନେକ ଖେଳଣାରୁ ଜରି ମଧ୍ୟ ଫିଟା ଯାଇ ନଥିଲା। ହେଲେ ଦୁନିଆକୁ ଭଲଭାବେ ଦେଖିବା ଆଗରୁ ମାଆ ସହ ଆଦ୍ଭିକ୍ ମଧ୍ୟ ମୃତ୍ୟୁର କୋଳରେ ଶୋଇଯାଇଛି। ତାକୁ ମିଳିଥିବା ସବୁ ପୋଷାକ ଓ ଖେଳଣାକୁ ଜୁଇରେ ପକାଇଦିଆଯାଇଥିଲା। ଏହି ସମୟରେ ଗ୍ରାମବାସୀଙ୍କ ଆଖିରୁ ଲୁହ ଝରିଆସିବା ଦୃଶ୍ୟ ହୃଦୟବିଦାରକ ଥିଲା।
ଉପସ୍ଥାପନା: ସୁଦୀପ୍ତ ଷଡ଼ଙ୍ଗୀ, ବିଶ୍ବମ୍ବର ଜେନା, ପ୍ରଶାନ୍ତ ତ୍ରିପାଠୀ