ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ସଂଗୀତା ଡାକୁଆ। ସଂଗୀତା ତାଙ୍କ ସ୍ବାମୀ ମହେଶ୍ବର ଡାକୁଆ ଓ ୪ ବର୍ଷର ପୁଅ ମୋଦିଜିତଙ୍କ ସହିତ ଉକ୍ତ ମିନିବସ୍ରେ ଫେରୁଥିଲେ। ଏଥିରେ ସଂଗୀତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ପୁଅ ଓ ସ୍ବାମୀ ବର୍ତ୍ତିଯାଇଛନ୍ତି। ପୁଅର ବାମହାତ ଓ ମହେଶ୍ବରଙ୍କ ଡାହାଣ ହାତ ଭାଙ୍ଗିଯାଇଛି। ଉଭୟ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୋଦିଜିତ୍ ମାଆକୁ ଖୋଜୁଥିବା ବେଳେ ତାକୁ କ’ଣ ଉତ୍ତର ଦେବେ ସମ୍ପର୍କୀୟଙ୍କ ପାଖରେ ଏଥିପାଇଁ କିଛି ଶବ୍ଦ ନାହିଁ।
ଦୁର୍ଘଟଣା ଉଜାଡ଼ିଦେଲା ପରିବାର
‘କିଏ ଭାବିଥିଲା ଏଭଳି ଦୁର୍ଘଟଣା ଘଟିବ ବୋଲି। ବାହାଘର ଖୁସିର ମାହୋଲ୍ କ୍ଷଣିକ ମଧ୍ୟରେ ଦୁଃଖରେ ପରିଣତ ହେଲା। ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଛି। ତା’ ଠାରୁ ଆଉ ବଡ଼ ଦୁଃଖର କଥା କ’ଣ ହୋଇପାରେ ବୋଲି କାନ୍ଦି କାନ୍ଦି କହିଛନ୍ତି ନବବଧୂ ସୋନାଲିଙ୍କ ମାମୁ ସମୀର କୁମାର ପ୍ରଧାନ।
ଝିଅ ଓ ନାତିକୁ ଆଉ ଦେଖିପାରିବି ନାହିଁ
ସାନଭଉଣୀର ବାହାଘର ପାଇଁ ଝିଅ ସୁଜ୍ଞାନୀ ବେଶ୍ ଖୁସି ଥିଲା। ଗତକାଲି ଝିଅ ସୁଜ୍ଞାନୀ, ଜ୍ବାଇଁ ଶୁଭେନ୍ଦୁ ଓ ନାତି ଦେବାଂଶ ମିନିବସ୍ରେ ବ୍ରହ୍ମପୁର ଆସିଥିଲେ। ଭୋଜିରେ ଯୋଗ ଦେଇ ସମସ୍ତେ ବସ୍ରେ ଫେରୁଥିଲେ। ମୁଁ ମଧ୍ୟ ଭୋଜିକୁ ଆସିଥିଲି। କିନ୍ତୁ ମୁଁ ବାହାଘର ସାମଗ୍ରୀ ଆସିଥିବା ଗାଡ଼ିରେ ଗାଁକୁ ଚାଲିଯାଇଥିଲି। ହେଲେ ଝିଅ, ଜ୍ବାଇଁ ଓ ନାତି ବସ୍ରେ ଫେରୁଥିଲେ। ଝିଅ ଓ ନାତି ଦୁର୍ଘଟଣାରେ ଚାଲିଗଲେ। ସେମାନଙ୍କୁ ଆଉ ଦେଖିପାରିବି ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି ସୁଜ୍ଞାନୀଙ୍କ ବାପା ଭଗବାନ ପ୍ରଧାନ।
ବସ୍ ତଳେ ଚାପି ହୋଇରହିଥିଲା ମୃତଦେହ
ଭୁବନେଶ୍ବରରେ ରହୁଥିବା ସ୍ବପ୍ନଜିତ ପାତ୍ର ତାଙ୍କର ମାମୁ ଝିଅ ସୋନାଲିଙ୍କ ବାହାଘରରେ ଯୋଗଦେବା ପାଇଁ ଆସିଥିଲେ। ସେ ମଧ୍ୟ ଭୋଜି ଖାଇ ଖଣ୍ଡଦେଉଳି ଅଭିମୁଖେ ଜଣେ ସମ୍ପର୍କୀୟଙ୍କ ସହିତ ବାଇକ୍ରେ ବାହାରିଥିଲେ। ବସ୍କୁ ପାର କରି ସ୍ବପ୍ନଜିତ ରାତି ପ୍ରାୟ ୧ଟା ୧୦ ମିନିଟ୍ରେ ଖଣ୍ଡଦେଉଳିରେ ପହଞ୍ଚିଥିଲେ। କିନ୍ତୁ ଘରକୁ ପହଞ୍ଚିବାର କିଛି ମିନିଟ୍ ପରେ ମାଆ ତପସ୍ବିନୀ ପାତ୍ର ତାଙ୍କୁ ବସ୍ ଭିତରେ ଥାଇ ଫୋନ୍ କରିଥିଲେ। ସେ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ବସ୍ ଓଲଟି ପଡ଼ିଥିବା ବେଳେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା। ବସ୍ ତଳେ କିଛି ମୃତଦେହ ଚାପି ହୋଇରହିଥିଲା। ବସ୍ ତଳୁ ମୃତଦେହ ଉଦ୍ଧାର କରି ଡାକ୍ତରଖାନା ପଠାଇବାରେ ସହଯୋଗ କରିଥିଲେ ସ୍ବପ୍ନଜିତ।
ପ୍ରଧାନ ପରିବାର ଶ୍ରୀହୀନ ହୋଇଗଲା: ରେଣୁବାଳା
ରାଜ୍ୟସଭା ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ ଖଣ୍ଡଦେଉଳି ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ। ଏହି ଭୟାନକ ସଡ଼କ ଦୁର୍ଘଟଣା ପ୍ରଧାନ ପରିବାରକୁ ଶ୍ରୀହୀନ କରିଦେଇଛି। ପରିବାରର ୩ ଝିଆରୀ, ନଣନ୍ଦେଇ ଓ ଦିଅରଙ୍କୁ ହରାଇ ମୁଁ ମର୍ମାହତ।
ସଂପର୍କୀୟଙ୍କୁ ହରାଇ ଭାବବିହ୍ବଳ ହେଲେ ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଦୁର୍ଘଟଣାର ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ମୁଜାଗଡ଼ର ମୃତକ ସଞ୍ଜୟ ମେଦିନିରାୟ ଶ୍ରୀ ଆରୁଖଙ୍କ ପିଉସୀ ପୁଅ ଭାଇ ହୋଇଥିବା ବେଳେ ମୃତକ ଶିବାନୀ ଓ ସୁଜ୍ଞାନୀ ତାଙ୍କ ମାମୁପୁଅ ଭାଇଙ୍କ ବୋହୂ। ସଂପର୍କୀୟମାନଙ୍କୁ ହରାଇ ଶ୍ରୀ ଆରୁଖ ଭାବବିହ୍ବଳ ହୋଇଯାଇଥିଲେ। ନିଜେ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ, ତହସିଲଦାର ଅଚ୍ୟୁତାନନ୍ଦ ଜାନି, ଏସ୍ଡିପିଓ ବିଶ୍ବାମିତ୍ର ହରପାଲ ଓ ଥାନାଧିକାରୀ ଧୀରେଶ କୁମାର ଦାସଙ୍କ ସହ ମୃତକଙ୍କ ଅନ୍ତିମ ଯାତ୍ରାରେ ଶ୍ରୀ ଆରୁଖ ସାମିଲ ହୋଇଥିଲେ।
ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ: ଦୟା
ଦୁର୍ଘଟଣାରେ ଖଣ୍ଡଦେଉଳି ଗ୍ରାମର ଦୁଇଭାଇ ରମେଶ ପ୍ରଧାନ (୬୨) ଓ ସୀତାରାମ ପ୍ରଧାନ (୬୦)ଙ୍କ ମୃତ୍ୟୁ ଘଟିଛି। ବଡ଼ଭାଇ ଦୟା ପ୍ରଧାନ କହିଛନ୍ତି, ‘ବ୍ରହ୍ମପୁରରୁ ସମସ୍ତେ ଭୋଜି ଖାଇସାରି ମନ ଖୁସିରେ ଘରକୁ ଫେରୁଥିଲେ। ହେଲେ ଏତେବଡ଼ ଦୁର୍ଘଟଣା ଘଟିଯିବ ବୋଲି କେହି କଳ୍ପନା ମଧ୍ୟ କରି ନଥିଲୁ। ଆମ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ମୋର ଦୁଇଭାଇଙ୍କ ସମେତ ଅନ୍ୟ ପରିବାରବର୍ଗଙ୍କୁ ହରାଇ ମୁଁ ମର୍ମାହତ ଓ ବେସାହାରା। ଭଗବାନ ଏମିତି ଦୁଃଖ ଆଉ କାହାକୁ ନ ଦିଅନ୍ତୁ।’