ହରିଚନ୍ଦନପୁର: ଜମିକୁ ପାଣି ନେବା ପାଇଁ ରାସ୍ତା କଡ଼କୁ କେତେକ ଗ୍ରାମବାସୀ ଖୋଳି ଦେଇଛନ୍ତି। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି। ହରିଚନ୍ଦନପୁର ବ୍ଲକ୍‌ ଜିରାଙ୍ଗ ପଞ୍ଚାୟତ ଝାଲକାଣିରୁ ଜିରାଙ୍ଗ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏକ ନୂତନ ରାସ୍ତା ନିର୍ମାଣ କରାଯାଇଛି ।

Advertisment

ରାସ୍ତାର ଖୁଣ୍ଟାପସି ଗ୍ରାମର ବୁଲାଣି ରାସ୍ତା କଡ଼ରେ କେତେକ ଲୋକ ଜମିକୁ ପାଣି ନେବା ପାଇଁ କେନାଲ ଖୋଳି ଦେଇଛନ୍ତି। ଏହାଦ୍ୱାରା ରାସ୍ତାଟି ଅଣଓସାରିଆ ହୋଇଯାଇଛି। ଏହାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କେନାଲ ପାଇଁ ନୂତନ ରାସ୍ତା କଡ଼ରେ ଖୋଳା ଯାଇଥିବାରୁ ଲୋକମାନେ ଯାତାୟାତ ପାଇଁ ହଇରାଣ ହରକତ ହେବା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଠିକାଦାରଙ୍କ ଅଗୋଚରରେ ରାସ୍ତା କଡ଼ ଖୋଳା ଯାଇଥିବାରୁ ଠିକାଦାର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଆରଡି ବିଭାଗ ଓ ତହସିଲ କାର୍ଯ୍ୟାଳୟ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।