୧୨ ବର୍ଷର ସଂଘର୍ଷ ପରେ ବି ମିଳୁନି ବିସ୍ଥାପିତ ମାନ୍ୟତା: ଦିନ ଗଡ଼ୁଛି, ଦୁଃଖ ବଢ଼ୁଛି

ରାୟଗଡ଼ା: କମ୍ପାନି ପ୍ରତିଷ୍ଠାକୁ ୧୮ ବର୍ଷ ପୂରିଲାଣି। ଗାଁକୁ ଲାଗି କମ୍ପାନିର ବାଉଣ୍ଡାରି ନିର୍ମାଣ ସହ କଞ୍ଚା ମାଲ ପରିବହନ ପାଇଁ କନଭେୟାର୍ ବେଲଟ୍ ଯାଇଛି। ଅନ୍ୟାନ୍ୟ ମେସିନାରୀ ଉପକରଣ ମଧ୍ୟ ଗାଁକୁ ଲାଗି ରହିଛି। ଯାହାର ଧୂଳି, ଧୂଆଁରେ ଅଣନିଶ୍ବାସୀ ହୋଇ ପଡୁଛନ୍ତି ଗ୍ରାମବାସୀ। ଅଥଚ କମ୍ପାନି ପ୍ରଭାବିତ ଡିମୁଣ୍ଡି ଓ ଡି. କରଳ ଗ୍ରାମବାସୀଙ୍କୁ ଆଜି ପର୍ଯ୍ୟନ୍ତ ବିସ୍ଥାପିତ ମାନ୍ୟତା ମିଳିପାରିନି। ବିସ୍ଥାପିତ ମାନ୍ୟତା ପାଇଁ ଦୀର୍ଘ ୧୨ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି ଦୁଇ ଗ୍ରାମବାସୀ। ମୁଖ୍ୟମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଶିଳ୍ପ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଚିଠି ଲେଖି ବାରମ୍ବାର ଅବଗତ କରିଛନ୍ତି। ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଛି। କିନ୍ତୁ କମ୍ପାନି କର୍ତ୍ତୃପକ୍ଷ ନିଜ ଜିଦରେ ଅଟଳ ଥିବାରୁ ଗ୍ରାମବାସୀ ବିସ୍ଥାପିତଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ ପାଇପାରୁନାହାନ୍ତି।

୨୦୨୧ ସେପ୍ଟମ୍ବରରେ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ବରେ ଦୁଇ ଗ୍ରାମବାସୀ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ସାକ୍ଷାତ କରିଥିଲେ। ଗ୍ରାମବାସୀଙ୍କ ଦାବିକୁ ଯଥାର୍ଥ ମନେ କରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ୨୦୨୧ ଡିସେମ୍ବରରେ ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ହେଲେ ପଞ୍ଚାୟତ, ପୌର ନିର୍ବାଚନ ଯୋଗୁ ବୈଠକ ବସିପାରୁନଥିବାରୁ କମ୍ପାନି ପ୍ରଭାବିତ ଗ୍ରାମବାସୀଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଆଜି ଡିମୁଣ୍ଡି ଗ୍ରାମବାସୀ ପୁଣି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ବିସ୍ଥାପିତ ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଗୁହାରି କରିଛନ୍ତି। ଜୁନ୍ ତୃତୀୟ ସପ୍ତାହରେ ହେବାକୁ ଥିବା ଆରପିଡିଏସି ବୈଠକରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗ୍ରାମବାସୀଙ୍କୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଆଶ୍ବସ୍ତ ଲାଭ କରିବା ସହ ପ୍ରଶାସନ ଉପରେ ଭରସା କରି ଗାଁକୁ ଫେରି ଯାଇଛନ୍ତି।

ଉତ୍କଳ ଆଲୁମିନା ଶିଳ୍ପାଞ୍ଚଳ ପାର୍ଶ୍ବରେ ରହିଛି ଡିମୁଣ୍ଡି, ଡି. କରଳ ଗ୍ରାମ। କମ୍ପାନି ପ୍ରତିଷ୍ଠା ସମୟରେ ଉଭୟ ଗ୍ରାମବାସୀ ଜମି ଅଧିଗ୍ରହଣକୁ ବିରୋଧ କରି ଇଞ୍ଚେ ଜମି ବି ଦେଇନଥିଲେ। ଫଳରେ କମ୍ପାନିର ବିସ୍ଥାପିତ ତାଲିକାରେ ୨ ଗ୍ରାମବାସୀ ସାମିଲ୍ ହୋଇପାରିନଥିଲେ। ବଫଲାମାଳି ଖଣିରୁ ଦୋରାଗୁଡ଼ା ରିଫାଇନେରିକୁ କଞ୍ଚାମାଲ ପରିବହନ ପାଇଁ କମ୍ପାନିର କନଭେୟାର ବେଲଟ୍ ଯାଇଥିବା ବେଳେ ମାଲ ପରିବହନ ସମୟରେ ଧୂଳି ଓ ଶବ୍ଦ ପ୍ରଦୁଷଣରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଲଟ୍ ଯୋଗୁ ଜୀବନ ଦୁର୍ବିସହ ହୋଇ ପଡ଼ିଥିବାରୁ ଡିମୁଣ୍ଡି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରି ବିସ୍ଥାପନ ନୀତିରେ ସାମିଲ୍ କରିବାକୁ ଉତ୍କଳ ଆଲୁମିନା ନିକଟରେ ଦାବି କରି ଆସୁଛନ୍ତି ଗ୍ରାମବାସୀ। ଯାହାକୁ କମ୍ପାନି ଅଗ୍ରାହ୍ୟ କରି ଆସୁଛି। ୧୨ ବର୍ଷ ଧରି ଡିମୁଣ୍ଡି, ଡି. କରଳବାସୀ ବିସ୍ଥାପିତ ମାନ୍ୟତା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇ ନିରାଶ ହୋଇଛନ୍ତି। ସେପଟେ ୨୦୧୪ରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦୁଇ ଗ୍ରାମବାସୀ ଓ କମ୍ପାନି ମଧ୍ୟରେ ଚୁକ୍ତି ହୋଇଥିଲା।

ଏହା ସତ୍ତ୍ବେ ଉତ୍କଳ ଆଲୁମିନା ବିସ୍ଥାପିତ ମାନ୍ୟତା ଅନୁଯାୟୀ କ୍ଷତିପୂରଣ ପ୍ରଦାନ ନ କରିବାରୁ ୨୦୧୮ ମେ ୨୩ ତାରିଖରେ ଗ୍ରାମବାସୀ କମ୍ପାନି ଭିତରେ ଅନୁପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଆରପିଡିଏସି ବୈଠକରେ ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ବିସ୍ଥାପିତଙ୍କ ଦାବିକୁ ଗୁରୁତ୍ବ ଦେଇନଥିଲେ। ଗ୍ରାମବାସୀଙ୍କୁ ଥଇଥାନ ପାଇଁ କୌଣସି ନିର୍ଯ୍ୟାସ ବାହାରି ପାରୁନଥିବାରୁ ୨୦୧୮ ଡିସେମ୍ବର ୧୦ ତାରିଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ରାୟଗଡ଼ା ଜିଲ୍ଲାପାଳ ଚିଠି ଲେଖିଥିଲେ। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଏ ନେଇ ସଂସଦରେ ପ୍ରଶ୍ନ ଉଠାଇବା ସହ ଆରଡିସିଙ୍କୁ ସାକ୍ଷାତ କରିବା ପରେ ୨୦୨୧ ଡିସେମ୍ବର ୨୨ ତାରିଖରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆପାଙ୍ଗ ଆଓ ଡିମୁଣ୍ଡି ଓ ଡି. କରଳବାସୀଙ୍କୁ ବିସ୍ଥାପିତ ମାନ୍ୟତା ପ୍ରଦାନ ସହ କମ୍ପାନି ପକ୍ଷରୁ ଉଚିତ୍ କ୍ଷତିପୂରଣ ଯୋଗାଇ ଦେବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଆରପିଡିଏସି ବୈଠକ ବସିନଥିବାରୁ ଆଜି ସୁଦ୍ଧା ଏ ନେଇ କୌଣସି ଅଗ୍ରଗତି ହୋଇପାରୁନି।

ସମ୍ବନ୍ଧିତ ଖବର