ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ଘଟଣା: ବିଡିଓଙ୍କୁ ଜିଲ୍ଲାପାଳଙ୍କ ଚିଠି ପରେ କାର୍ଯ୍ୟରେ ଯୋଗଦେଲେ ଦୀପ୍ତିରେଖା ପ୍ରଧାନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନାଟକ ନୂତନ ମୋଡ଼ ନେଇଛି। ଜିଲ୍ଲାପାଳ ବୃନ୍ଦା ଡି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକଙ୍କୁ ଚିଠି ପଠାଇବା ପରେ ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାପାଳ ଗତକାଲି ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କ ବିରୁଦ୍ଧରେ ହୋଇଥିବା ଅନାସ୍ଥା ଭୋଟ ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ (କେଶ ନଂ ଡବ୍ଲ୍ୟୁପିସି ୨୩୩୧୧/୨୦୧୯) ଅନୁସାରେ ପୂର୍ବାବସ୍ଥା ବଜାୟ ରଖିବାକୁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏଥିଲାଗି ଜାରି ହୋଇଥିବା ଚିଠି ଅନୁସାରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନ ନିଜ କାର୍ଯ୍ୟ ପୂର୍ବ ଭଳି  ସଂପାଦନ କରିବେ ବୋଲି କୁହ‌ାଯାଇଥିଲା।

ସୂଚନାଯୋଗ୍ୟ, ପ୍ରଥମେ ସରପଞ୍ଚ ଓ ସମିତି ସଭ୍ୟ ମେଳି ହୋଇ ଦସ୍ତଖତ କରି ଅନାସ୍ଥା ଆଗତ କରିବା ପରେ ଦସ୍ତଖତ ନମୂନା ସଂଗ୍ରହ କରିଥିଲେ ସ୍ଥାନୀୟ ବିଡ଼ିଓ। ତା’ପରେ ଅନାସ୍ଥା ଭୋଟ ତାରିଖ ସ୍ଥିର ହୋଇ ନୋଟିସ ହୋଇଥିଲା । ତଦନୁସାରେ ଚଳିତ ମାସ ୨୮ତାରିଖ ଦିନ  ଅନାସ୍ଥା ଭୋଟ ହୋଇଥିଲା। ଉପସ୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ଅନାସ୍ଥା ସପକ୍ଷରେ ଭୋଟ ଦାନ କରିବା ପରେ ସେଇ ଦିନ ହିଁ  କନ୍ଧମାଳ ଜିଲ୍ଲାପାଳ  ସଂଗେ ସଂଗେ ଘୁ.ଉଦୟଗିରି ବ୍ଲକ ଅଧକ୍ଷା ଆସ୍ଥା ହରାଇଥିବା ଦର୍ଶାଇ ପଦବୀ ଅସିଦ୍ଧ ଘୋଷଣା କରିଥିଲେ।

ଅନାସ୍ଥା ଦିନ ବ୍ଲକ ଅଧକ୍ଷା ଦୀପ୍ତିରେଖା ପ୍ରଧାନ ଓଡ଼ିଶା ପଂଚାୟତ ସମିତି ଆଇନ ଉଲଂଘନ କରି ପ୍ରଶାସନ ଅନାସ୍ଥା ଭୋଟ ତାରିଖ ସ୍ଥିର କରିଥିବା ଦର୍ଶାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଏକ ରହିତାଦେଶ ଆଦେଶ ଆଣିଥିଲେ। କିନ୍ତୁ ସେଇ ଦିନ ଠାରୁ ଅଧକ୍ଷା ସ୍ଥାନୀୟ ବ୍ଲକ ନିଜ କାର୍ଯ୍ୟାଳୟକୁ ଯାଇପାରୁ ନ ଥିଲେ।

ସମ୍ବନ୍ଧିତ ଖବର