ଶକ୍ତିମନ୍ତ୍ରୀଙ୍କ ଥୁଆମୂଳ ରାମପୁରକୁ ୩୩ କେଭି ଲାଇନ ସଂଯୋଗ ପାଇଁ ନିର୍ଦ୍ଦେଶ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଥର ପାଇଁ ବାନେର ଗ୍ରୀଡ଼ ଜରିଆରେ ଇନ୍ଦ୍ରାବତୀର ବିଜୁଳି ଜିଲ୍ଲାବାସୀ ପାଇଛନ୍ତି । ଇନ୍ଦ୍ରାବତୀର ମୁଖ୍ୟ ବିସ୍ଥାପିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକକୁ କାଶୀପୁର ୨୨୦/୧୩୨/୩୩ ଷ୍ଟେସନ ଠାରୁ ୩୩ କେଭି ଲାଇନ ସଂଯୋଗ କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ଓପିଟିସିଏଲ ଅଧ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀର ବିଦ୍ୟୁତ ପ୍ରଥମ ଥର ପାଇଁ ଓପିଟିସିଏଲ ଦ୍ୱାରା ବାନେର ଠାରେ ଥିବା ୨୨୦/୧୩୨/୩୩ ଗ୍ରୀଡ଼ ଷ୍ଟେସନକୁ ଗତ ଅକ୍ଟୋବର ୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀର ମୁଖ୍ୟ ପୃଷ୍ଠଭୂମୀ ଥୁଆମୂଳ ରାମପୁର ବ୍ଲକର ବହୁ ଅଞ୍ଚଳ ଏବେ ମଧ୍ୟ ବୁଡି ଅଞ୍ଚଳରେ ରହିଛି । ଏହି ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ରାୟଗଡା ଜିଲ୍ଲାର କାଶୀପୁର କଳାହାଣ୍ଡି ସୀମାରୁ ୨ କିଲୋମିଟର ଓ ଥୁଆମୂଳ ରାମପୁର ବ୍ଲକ ମହକୁମା ରୁ ୨୩ କିଲୋମିଟର ଦୂରରେ ଅବସ୍ଥିତ । କାଶୀପୁର ଠାରେ ୨୨୦/୧୩୨/୩୩ ଗ୍ରୀଡ଼ ଷ୍ଟେସନ ରହିଛି । ଏହି କାଶୀପୁର ଷ୍ଟେସନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାଶୀପୁରରୁ ଥୁଆମୂଳ ରାମପୁରକୁ ସିଧା ସଳଖ ୨୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ କାଶୀପୁର ଠାରୁ ଥୁଆମୂଳ ରାମପୁର ବ୍ଲକ ମହକୁମାକୁ ୩୩ କେଭି ଲାଇନ ସଂଯୋଗ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓପିଟିସିଏଲର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବ ବୋଲି କହିଛନ୍ତି ।
ସମ୍ବନ୍ଧିତ ଖବର