ଗୁଡ଼ଭେଲା/ତୁଷୁରା: ପୁଣି ଚର୍ଚ୍ଚାର ପରିସରକୁ ଆସିଛି ବଲାଙ୍ଗୀର ଜିଲ୍ଲା ତୁଷରା ନିକଟ ତେଲନଦୀ ପୋଲ। ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଯୁବକ ପୋଲ ଉପରୁ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ନଦୀରେ ଗାଧୋଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଉକ୍ତ ଯୁବକଙ୍କୁ ନେଇ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରକାଶ ଯେ, ବେଲପଡ଼ା ଥାନା ଅଂଚଳର ଜଣେ ଦିବ୍ୟାଙ୍ଗ ଯୁବକ ଭବାନୀପାଟଣାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ହେଲେ ପ୍ରେମିକାଙ୍କ ଭିଣୋଇ କୁଆଡ଼େ ହତ୍ୟା ଧମକ ଦେଇଥିଲେ।
ଏଥିରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ବେଲପଡ଼ାରୁ ତୁଷୁରା ଆସି ତେଲନଦୀ ପୋଲ ଉପରେ ତାଙ୍କ ଅତିରିକ୍ତ ଦୁଇଟି ଚକ ଲାଗିଥିବା ବାଇକ୍ , ଶୀତ ବସ୍ତ୍ର ଓ ମୋବାଇଲ ଫୋନ୍ ରଖି ତେଲନଦୀକୁ ଡେଇଁ ପଡ଼ିଥିଲେ। ନଦୀରେ ଗାଧୋଉଥିବା ଲୋକେ ଏହା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ଉଦ୍ଧାର ବେଳେ ପ୍ରେମିକା ଓ ତାଙ୍କ ଫଟୋ ଲେମିନେସନ କରି ବେକରେ ଝୁଲାଇଥିବା ଦେଖାଯାଇଥିଲା। ଖବର ପାଇ ତୁଷୁରା ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ ଯୁବକଙ୍କୁ ଡାକ୍ତରଖାନାକୁ ପଠାଇଥିଲେ।
ଦେଢ଼ ମାସରେ ଦ୍ବିତୀୟ ଘଟଣା
ଗତ ଅକ୍ଟୋବର ୧୫ ତାରିଖରେ ଏହି ତେଲନଦୀ ପୋଲ ଉପରୁ ଗୁଡ଼ଭେଲାର ଦୁଇ ଭଉଣୀ ଅନମୋଲ ଅଗ୍ରୱାଲ ଓ ଆଞ୍ଚଲ ଅଗ୍ରୱାଲ ଡେଇଁ ଆତ୍ମହତ୍ୟା କରିଥିଲେ। ଦୁଇଦିନ ପରେ ପ୍ରଥମେ ସାନ ଭଉଣୀ ଆଞ୍ଚଲର ଶବ ତରଭା ଥାନା ବଡ଼ଟେଣ୍ଡା ତେଲ ନଦୀ ଘାଟରୁ ଉଦ୍ଧାର ହୋଇଥିଲା। ଏହାର ଦୁଇଘଣ୍ଟା ପରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କାଉଡ଼ିଆତୋଳା ମହାନଦୀ ଘାଟରୁ ଅନମୋଲଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Kharasrota_River_Bridge_-_panoramio.jpg)