ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ମାଷ୍ଟର୍‌ ପ୍ଲାନ୍‌ ଆଲୋଚନା, ବେଢ଼ା ସଫା ହେବ; ହଟିବ ଭୋଗ, ଦୀପ ଦୋକାନ, ପ୍ରାଶାସନିକ କାର୍ଯ୍ୟାଳୟ, ଫାଣ୍ଡି

ବେଢ଼ାର ଅଗ୍ନିକୋଣରେ ରୋଷଘର, ନିର୍ମାଣ ହେବ ଭଣ୍ଡାର ଘର

ଜଗତସିଂହପୁର ଟାଉନ୍: ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣକୁ ନେଇ ତିଆରି ହୋଇଛି ମାଷ୍ଟର ପ୍ଲାନ୍। ଆଜି ଜିଲ୍ଲାପାଳ ପାରୁଲ ପଟାଓ୍ଵାରୀଙ୍କ ଅଧ୍ୟକ୍ଷତାରେ ସଦଭାବନା ଗୃହରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସେବାୟତ ପ୍ରତିନିଧି ଦଳଙ୍କ ଉପସ୍ଥିତିରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ମାଷ୍ଟର ପ୍ଲାନକୁ ଉପସ୍ଥାପିତ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ଦିର ପରିସରରେ ଥିବା ଭୋଗ ଦୋକାନ, ଦୀପ ଦୋକାନ, ପ୍ରଶାସନିକ କାର୍ଯ୍ୟାଳୟ ଓ ଫାଣ୍ଡି ସ୍ଥାନାନ୍ତର ହେବ। ମନ୍ଦିର ବାହାର ପଟେ ଏ ସବୁ ରହିବ। ସେହିପରି ମନ୍ଦିର ଭିତରେ ରୋଷଘର, ଭଣ୍ଡାର ଘର, ନୀତି ପରିଚାଳକଙ୍କ ଗୃହ, ରେକର୍ଡ ରୁମ୍, ଷ୍ଟ୍ରଙ୍ଗ ରୁମ୍ ଆଦି ରହିବ। କିନ୍ତୁ ରୋଷଘର ଯେଉଁଠାରେ ଅଛି ସେଠାରୁ ସ୍ଥାନାନ୍ତର ହୋଇ ଅଗ୍ନି କୋଣରେ ନିର୍ମାଣ ହେବ। ସେହିପରି ମନ୍ଦିର ବାହାରେ ଦକ୍ଷିଣ ପାର୍ଶ୍ବରେ ପାର୍କିଂ ସ୍ଥଳ, ପରିଶ୍ରାଗାର, ଶୌଚାଳୟ ଓ ଗାଧୁଆଘର, ହୋଟେଲ, ଯାତ୍ରୀ ନିବାସ ଆଦି ରହିବ ବୋଲି ପ୍ଲାନ୍ ପ୍ରସ୍ତୁତ ହୋଇଛି। ସେହିପରି ମନ୍ଦିର ବାହାରେ ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯିବ। ଅଧିକ ସୌନ୍ଦର୍ଯ୍ୟ ପାଇଁ ଏକ ସୁନ୍ଦର ପାର୍କ ନିର୍ମାଣ ଯୋଜନା ରହିଛି। ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଶସ୍ତ ସହ ଉନ୍ନତୀକରଣ କରାଯିବ ବୋଲି ସୂଚନା ମିଳିଛ। ସେହିପରି ମା’ଙ୍କ ଆଦିପୀଠ ହରିପୁର ଲଣ୍ଡା ଦେଉଳର ପୁନର୍ବିନ୍ୟାସ କରାଯିବ। ସେଠାରେ ଐତିହାସିକ କୀର୍ତ୍ତିରାଜିର ସ୍ମୃତି ସ୍ତମ୍ଭ ନିର୍ମାଣ ହେବ। ମନ୍ଦିର ପାର୍ଶ୍ବରେ ଶାରଳା ଦାସଙ୍କ ପ୍ରତିମୂର୍ତ୍ତି ସହ ପାଠାଗାର, ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ପୁରୁଣା ଚନ୍ଦନ ପୋଖରୀର ପୁନରୁଦ୍ଧାର କରାଯିବ। ସେହିପରି ସେଠାରେ ଏକ ବଡ଼ ପାର୍କିଂ ସ୍ଥଳ ମଧ୍ୟ ନିର୍ମାଣ କରାଯିବ। ପର୍ବପର୍ବାଣି, ଯାତ୍ରା ସମୟରେ ଶ୍ରଦ୍ଧାଳୁ ମାନେ ସେଠାରେ ଗାଡ଼ି ରଖିବେ ବୋଲି ଜଣାପଡ଼ିଛି। ଯାହାଫଳରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ କରିବା ସହଜ ହେବ। ପ୍ରସ୍ତୁତ ମାଷ୍ଟର ପ୍ଲାନ୍ ଉପରେ ସେବାୟତ ପ୍ରତିନିଧି ଦଳଙ୍କ ମତାମତ ନିଆଯାଇଛି।

 

ସେମାନେ ମଧ୍ୟ ଆପାତତଃ ସହମତି ପ୍ରକାଶ କରିଥିବା ବେଳେ କିଛି ନୂଆ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସହାୟତାରେ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଏକାଧିକ ସର୍ଭେ କରିବା ପରେ ଏହି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛି। ଆଜି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ଓ ସେବାୟତ ପ୍ରତିନିଧି ଦଳରେ ଥିବା ବଡ଼ପଣ୍ଡା ରଞ୍ଜନ କୁମାର ପଣ୍ଡା, ପରିଚ୍ଛା ସୁଦାମ ଚରଣ ପଣ୍ଡା, ସେବାୟତ ସଚ୍ଚିଦାନନ୍ଦ ନାୟକ ଓ କ୍ଷୀରୋଦ କୁମାର ରାଉଳଙ୍କ ଉପସ୍ଥିତିରେ ଏହାକୁ ଉପସ୍ଥାପନ ସହ ମତାମତ ନିଆ ଯାଇଥିଲା। ଏହି ମାଷ୍ଟର ପ୍ଲାନକୁ କାର୍ଯ୍ୟକାରୀ କେବଳ ଆଲୋଚନା ପର୍ଯ୍ୟାଲୋଚନା ସ୍ତରରେ ରହିଥିବାରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ କରାଯିବ। ଏହା ପରେ ଚୂଡ଼ାନ୍ତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।

ମା’ ଶାରଳାଙ୍କ ଫଟୋ, ଭିଡିଓ ଉତ୍ତୋଳନ ନିଷେଧ ହେବ
ମା ଶାରଳାଙ୍କ ବିଭିନ୍ନ ନୀତିକାନ୍ତି, ବେଶର ଫଟୋ ଓ ଭିଡିଓ ମୋବାଇଲ ଫୋନରେ ଭାଇରାଲ୍ ହେଉଛି। ଶ୍ରଦ୍ଧାଳୁମାନେ ମୋବାଇଲ ଫୋନରେ ଏହାର ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରୁଛନ୍ତି। ତେଣୁ ନୀତିକାନ୍ତି ଗୁପ୍ତ ରହୁନି ବୋଲି ସେବାୟତ ପ୍ରତିନିଧି ଦଳ କହିଥିଲେ। ଏହା ଉପରେ କଟକଣା ଲଗାଇବା ପାଇଁ ଦାବି ଉଠାଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଉପରେ ବିଚାର କରି ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ମୋବାଇଲ ଫୋନ୍ ରଖିବା ପାଇଁ କୌଣସି ଷ୍ଟାଣ୍ଡ ନ ଥିବା ବେଳେ ଶ୍ରଦ୍ଧାଳୁ ଭିତରକୁ ନେଇ ଯିବେ। ତେଣୁ ଯଦି କଟକଣା ଲାଗେ ତାହେଲେ କେତେଦୂର କାର୍ଯ୍ୟକାରୀ ହୋଇପାରିବ ବୋଲି ପ୍ରଶ୍ନ ଉଠିଛି। କାରଣ ପୁଲିସ ସମସ୍ତଙ୍କ ଉପରେ ନଜର ରଖିବା ମଧ୍ୟ ଏତେ ସହଜ ନୁହେଁ।

ସମ୍ବନ୍ଧିତ ଖବର