ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଯୋଜନା ମନ୍ରେଗା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍ଏସ୍ଏଫ୍ଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉଭୟ ଗ୍ରାମୀଣ ଓ ସହର, ଜାତୀୟ ପାନୀୟ ଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଦୀନ୍ ଦୟାଲ ଉପାଧାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍ଏଚ୍ଏମ, ଆଇସିଡିଏସ୍, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, କୃଷି ସ୍ବାସ୍ଥ୍ୟ କାର୍ଡ, କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ, ରେଲୱେ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଯୋଜନାର ସମୀକ୍ଷା କରିଥିଲେ।
ସାଂସଦ ଶ୍ରୀ ପଣ୍ଡା ସିଡିଏଓ, ଡିଆର୍ସିଏସ, ସିଏସ୍ଓଙ୍କୁ ଜିଲ୍ଲାରେ ଧାନ ସଂଗ୍ରହ, ଅଭାବୀ ବିକ୍ରି, ଟୋକନ୍ ସମସ୍ୟା, ମଣ୍ଡି ସମସ୍ୟା, ଛତିଶଗଡ଼କୁ ଧାନ ଚୋରାଚାଲାଣ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ଜିଲ୍ଲାରେ ମନ୍ରେଗା ଯୋଜନାରେ ୧୩ ଟି ବ୍ଲକରେ ୨୦୨୩-୨୪ରେ ୪୭୮୯ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୧୫୭୪୨୭ ପରିବାର ହିତାଧିକାରୀ କାମ ପାଇଛନ୍ତି। ୨୧୧୭୭ ପରିବାର ୧୦୦ ଦିନ କାମ ସଂପୂର୍ଣ୍ଣ କରିଛନ୍ତି। ସେଭଳି ଜମି ରେକର୍ଡ ଆଧୁନିକୀକରଣରେ କଳାହାଣ୍ଡି, ଧର୍ମଗଡ଼,ଏମ୍. ରାମପୁର, ଥୁଆମୂଳ ରାମପୁର ,ଜୟପାଟଣା ତହସିଲକୁ ନିଆଯାଇଛି। ଗ୍ରାମ୍ୟ ବିଦ୍ୟୁତୀକରଣରେ ପୂର୍ବ ଡିଭିଜନରେ ଦୀନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନା ଅନ୍ତର୍ଗତ ୫୬୧ ଟି ଗ୍ରାମର ୧୬୧୯୮ ପରିବାର ଏବଂ ସୌଭାଗ୍ୟ ଯୋଜନାରେ ୫୨୦ ଟି ଗ୍ରାମର ୩୩୦୮୦ ପରିବାର ଓ ପଶ୍ଚିମ ଡିଭିଜନରେ ଦୀନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୫୪୮ଟି ଗ୍ରାମର ୩୯୭୦୮ ପରିବାର ଓ ସୌଭାଗ୍ୟ ଯୋଜନାରେ ୭୪୨ ଟି ଗ୍ରାମର ୫୯୧୨୭ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ଦୀନଦୟାଲ ଗ୍ରାମ୍ୟ କୌଶଳ ଯୋଜନାରେ ୨୦୧୫ ରୁ ୨୦୨୨-୨୩ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେଡ୍ରେ ୫୬୭୬ ଜଣ କର୍ମ ନିଯୁକ୍ତି ପାଇଛନ୍ତି। ମଧ୍ୟାହ୍ନ ଭୋଜନରେ ୧୩ଟି ବ୍ଲକ୍ରେ ୨୧୬୬ ଟି ସ୍କୁଲ ୧୮୬୭୪୬ ଜଣ ଛାତ୍ର ଛାତ୍ରୀ ଉପକୃତ ହେଉଛନ୍ତି।
ସ୍ବାସ୍ଥ୍ୟ ବିଭାଗରେ ବର୍ତ୍ତମାନ ୬୦୯ ଅନୁମୋଦିତ ପଦବିରୁ ୨୧୦ ଜଣ ଡାକ୍ତର, ଆୟୁଷ ଡାକ୍ତର ୫୬ ରୁ ୪୬ ଜଣ, ଷ୍ଟାଫ ନର୍ସ ୫୯୨ ରୁ ୨୨୭ ଜଣ କାର୍ଯ୍ୟରତ ଥିବା ତଥ୍ୟ ଦିଆଯାଇଥିଲା। ଜିଲ୍ଲାରେ ବେଦାନ୍ତ ଆଲୁମିନା ପକ୍ଷରୁ କଳାହାଣ୍ଡି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ କାହିଁକି ଅବହେଳା କରୁଛି ବୋଲି ପ୍ରଶ୍ନ କରିଥିଲେ। ବୈଠକରେ ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର, ଥୁଆମୂଲ୍ ରାମପୁର, ଲାଞ୍ଜିଗଡ଼ ଅଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା, ଫସଲ ବୀମା, କ୍ଷୁଦ୍ର ଜଳ ସେଚନ, ପୋଷଣ ଯୋଜନା, ଉର୍ଲାଦାନି ପଞ୍ଚାୟତରେ ୧୬ ଟି ଗ୍ରାମରେ ସୋଲାର ବିଦ୍ୟୁତୀକରଣ, ଗ୍ରାମ୍ୟ ଉନ୍ନୟନ ଦ୍ବାରା ଗ୍ରାମ ସଂଯୋଗୀକରଣ ରାସ୍ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ , ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସଚିନ ପାୱାର ପ୍ରକାଶ, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧୀର ମହାନ୍ତି, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ୍ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ, ଏନ୍ଏସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ଜିଓ କର୍ମକର୍ତ୍ତା ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।