୨ବର୍ଷ ପରେ ବସିଲା ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରୁଥିବା ଅଭିଯୋଗ

ଅଧାରୁ ବୈଠକ ଛାଡ଼ିଲେ ରାଜ୍ୟସଭା ସାଂସଦ

ବାରିପଦା: ପ୍ରତି ବର୍ଷ ବସିବାକୁ ଥିବା ଜିଲ୍ଲାସ୍ତରୀୟ ସମନ୍ୱୟ ଓ ତଦାରଖ (ଦିଶା) କମିଟି ବୈଠକ ପ୍ରାୟ ୨ବର୍ଷ ପରେ ମଙ୍ଗଳବାର ଦିନ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଲୋକସଭା ସାଂସଦ ତଥା ଦିଶା କମିଟିର ଅଧ୍ୟକ୍ଷ ବିଶେଶ୍ୱର ଟୁଡୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାର ବିକାଶ ପାଇଁ ମୟୂରଭଞ୍ଜରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଜିଲ୍ଲା ଦିଶା କମିଟି ବୈଠକର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଶ୍ରୀ ଟୁଡୁ। ଶେଷଥର ପାଇଁ ୨୦୧୮ ଜୁନ୍ ୩୦ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକ ତୁଳନାରେ ଚଳିତ ବୈଠକ କିନ୍ତୁ ସବୁଦିନ ପାଇଁ ଚର୍ଚ୍ଚାରେ ରହିବ।

ଏହି ବୈଠକରେ ଉପସ୍ଥିତ ରାଜ୍ୟସଭା ସାଂସଦ ତଥା ବିଜେଡି ନେତ୍ରୀ ମମତା ମହାନ୍ତ ଏବଂ ଜିଲ୍ଲାପରିଷଦ ସଭାପତି ତଥା ବିଜେପି ନେତ୍ରୀ ସୁଜାତା ମୁର୍ମୁଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ହୋଇଥିବା କଥା କଟାକଟି ଜିଲ୍ଲାରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଛି। ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା ଉପସ୍ଥାପିତ ଗତ ୨୦୧୯-୨୦ ଓ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଯୋଜନା ସହୟତାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ଏମଜିଏନଆର୍ଇଜିଏସ୍, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଜାତୀୟ ସ୍ୱାସ୍ଥ୍ୟ ମିଶନ(ସହରାଂଚଳ/ଗ୍ରାମୀଣ) ଯୋଜନା ଭଳି ପ୍ରାୟ ୪୧ଟି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଉନ୍ନୟନମୂଳକ ଯୋଜନାର ଜନପ୍ରତିନିଧିଙ୍କ ସହିତ ସମନ୍ବୟ ରକ୍ଷା ପୂର୍ବକ କାର୍ଯ୍ୟକାରୀ ଦିଗରେ ଗୁରୁତ୍ବ ଦିଆଯାଉଥିବା ପ୍ରକାଶ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରୂପଭାନୁ ମିଶ୍ର କୋଭିଡ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କିତ ଜରୁରୀକାଳିନ ପଦକ୍ଷେପ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷ ଜାନୁୟାରୀ ୧୧ ସୁଦ୍ଧା ଜିଲ୍ଲାର ପଞ୍ଜିକୃତ ଜବ୍କାର୍ଡଧାରୀ ପରିବାରର ୪.୩୮ ଲକ୍ଷ ବ୍ୟକ୍ତିଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇଛି। ମୋଟ ୧ କୋଟି ୩୪ ଲକ୍ଷ ୩୦ ହଜାର ୫୨୮ ଶ୍ରମ ଦିବସ ସୃଷ୍ଟି କରାଯାଇ ୬୭ ପ୍ରତିଶତ ସଫଳତା ହାସଲ ହୋଇପାରିଥିବାବେଳେ ୧୦ ହଜାର ୧୮୧ ଜବକାର୍ଡଧାରୀ ପରିବାରକୁ ୧୦୦ ଦିନର କାମ ଯୋଗାଇଦିଆଯାଇଥିବା ପିଡି ଡିଆରଡିଏ ଭବେଶ ନାୟକ ସୂଚନା ଦେଇଥିଲେ। ଏହି ଅବସରରେ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ରୂପାୟନ ଦିଗରେ ମଧ୍ୟ ସମୀକ୍ଷା ହୋଇଥିଲା। ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଘରେ ବିଜୁ ପକ୍କାଘର ଲୋଗୋ ବଡ଼ କରି ଲଗାଯିବାନେଇ ଆପତ୍ତି କରିଥିଲେ। ଏହାକୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ବିରୋଧ କରିବା ସହିତ ବିଜୁ ବାବୁଙ୍କ ପ୍ରତି ଅପମାନ ସହ୍ୟ କରାଯାଇପାରିବ ନାହିଁ ବୋଲି ଅଭିଯୋଗ କରି ଅଧାରୁ ବୈଠକ ଛାଡ଼ିଥିଲେ।

ଏନେଇ ଗତ ଦୁଇଦିନ ହେବ ଜିଲ୍ଲାରେ ରାଜନୈତିକ ତୁମ୍ବିତୋଫାନ ଜାରି ରହିଛି। ବିଜୁ ବାବୁଙ୍କ ପ୍ରତି କୌଣସି ଅପମାନସୂଚକ ବାକ୍ୟ କହିନଥିବା ସୁଜାତା କହୁଥିବାବେଳେ ବିଜେଡି କିନ୍ତୁ ଏହା ମାନିବାକୁ ନାରାଜ। ଏନେଇ ଥାନାରେ ଉଭୟ ଦଳ ନେତାଙ୍କ ବିରୋଧରେ ଏକାଧିକ ଏତଲା ହୋଇଛି। ତେବେ ବୈଠକରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କିମ୍ବା ବିଜେଡିର ଅନ୍ୟ କୌଣସି ବିଧାୟକ ଯୋଗଦେଇନଥିବାରୁ ଦିଶା କମିଟି ଅଧ୍ୟକ୍ଷା ଶ୍ରୀ ଟୁଡୁ ଏହାକୁ ନାପସନ୍ଦ କରିଛନ୍ତି। ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାର ସଫଳ କାର୍ଯ୍ୟକାରୀ ପାଇଁ ବିଜେଡି ଚାହୁଁନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଲୋକପ୍ରିୟ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ରାଜ୍ୟ ସରକାର ହାଇଜାକ କରିବାକୁ ଚେଷ୍ଟା କରୁଥିବା ସେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏହି ବୈଠକରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଯଶୀପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରାଇରଙ୍ଗପୁର ବିଧାୟକ ନବ କୁମାର ନାୟକ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବିଭିନ୍ନ ପଞ୍ଚାୟତସମିତି ଅଧ୍ୟକ୍ଷ / ଅଧ୍ୟକ୍ଷା ତଥା ଦିଶା କମିଟିର ସଦସ୍ୟ/ସଦସ୍ୟା ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର