ରାଜ୍ୟପାଳଙ୍କୁ ଭେଟିଲେ ବିସ୍ଥାପିତ ସଂଘର ପ୍ରତିନିଧି: ୧୬୩ ବିସ୍ଥାପିତଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି। ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବୈଠକ ବସିଛି। ବିସ୍ଥାପିତଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରତିଶ୍ରୁତି ମିଳିଛି। କିନ୍ତୁ ଆଜି ଯାଏଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ମାର୍ଶଲିଂ ୟାର୍ଡ ଡିସ୍‌ପ୍ଲେସ କମିଟିର ଏକ ପ୍ରତିନିଧି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଙ୍କୁ ଭେଟିଥିଲେ। କମିଟିର ସଭାପତି ଲଚ୍ଛୁ ଓରାମ, ଉପସଭାପତି ମାଙ୍ଗରା ଓରାମ, ସମ୍ପାଦକ ଇବେଞ୍ଜର ଟପ୍ପୋ, ଆଇନଜୀବୀ ଗୋବିନ୍ଦ ତନ୍ତୀ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ ନେତୃତ୍ବରେ ରାଜାପାଳଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ। ୧୬୩ ବିସ୍ଥାପିତଙ୍କୁ ରାଉରକେଲା ଇସ୍ପାତ କାରଖାନାରେ ନିଯୁକ୍ତି, ଅବ୍ୟବହୃତ ଜମିକୁ ବିସ୍ଥାପିତ ପରିବାରକୁ ଫେରସ୍ତ ଆଦି ସମସ୍ୟା ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜମି ଅଧୀଗ୍ରହଣ ଦିନଠାରୁ ଆଜି ପର୍ଯ୍ୟନ୍ତ ବସବାସ କରୁଥିବା ଆଦିବାସୀ ବିସ୍ଥାପିତଙ୍କୁ ଥଇଥାନ ନୀତିରେ ଜମିପଟ୍ଟା ବଣ୍ଟନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।

କେବଳ ଏତିକି ନୁହେଁ ପଞ୍ଚାୟତ କିମ୍ବା ପୌରପାଳିକାରେ କରୁ ନଥିବା ବିସ୍ଥାପିତ ପରିବାରକୁ ପଞ୍ଚାୟତ କିମ୍ବା ପୌରପାଳିକାରେ ସାମିଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସଂଘର ପ୍ରତିନିଧି ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୯୫୪ ଜାନୁଆରି ୧୯ରେ ଆର୍‌ଏସ୍‌ପି ପ୍ରତି‌ଷ୍ଠା ବେଳେ ରାଜ୍ୟ ସରକାର ପାଖାପାଖି ୨୦ ହଜାର ଏକର ଜମି ସେଲ୍‌କୁ ହସ୍ତାନ୍ତର କରିଥିଲେ। କାରଖାନା ଓ ମନ୍ଦିରା ଡ୍ୟାମ ପାଇଁ ପ୍ରାୟ ୪ ହଜାର୯୪ ଆଦିବାସୀ ପରିବାର ବିସ୍ଥାପିତ ହୋଇଥିଲେ। ବିସ୍ଥାପିତ ପରିବାର ମଧ୍ୟ ରହିଥିଲେ ଟାଙ୍ଗରପାଲି, ବିଜୁ ବନ୍ଧ, ଝାରମୁଣ୍ଡା, ବରକାନି, ରାଉରକେଲା, ଦୁର୍ଗାପୁର, ଉରତୁମ୍‌, ଦୁର୍ଗାପୁର, ଲୁଆକେରା, ତୁମକେଲା, ହମିରପୁର, ବାଙ୍କିଆ, ପ୍ରଧାନପାଲୀ, ଛେଣ୍ଡ, ସାନ ଲାଞ୍ଜିବେର୍ଣ୍ଣା, ଖରିଆବାହାଲ, ଜଲଦା, ଝିରପାଣି, ଦେଓଗାଁ ଆଦି ଅଞ୍ଚଳରେ ରହୁଥିବା ପରିବାର ବିସ୍ଥାପିତ ହୋଇଥିଲେ। ସେତେବେଳେ ପରିବାରକୁ ନିଯୁକ୍ତି ଓ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ କିଛି ବିସ୍ଥାପିତ ପରିବାରକୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ୨୦୦୬ ଜାନୁଆରୀରେ ବିସ୍ଥାପିତମାନେ ୭୨ ଘଣ୍ଟିଆ ରେ‌ଳରୋକୋ କରିଥିଲେ। ବନ୍ଧମୁଣ୍ଡା କୁକୁଡା ଗେଟ୍‌ ନିକଟରେ ହୋଇଥିବା ରେଳ‌େରୋକୋ ଯୋଗୁ ରେଳ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଆର୍‌ଡିସି, ଜିଲ୍ଲାପାଳ ଓ ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ପହଞ୍ଚି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ। ପରେ ଅତିରିକ୍ତ ଜିଲ୍ଳାପାଳ ୨୦୦୬ ଫେବୃଆରି ୨୦ରେ ଆର୍‌ଏସ୍‌ପି ନିଯୁକ୍ତି ପାଇଁ ବିଜ୍ଞପ୍ତି (ନଂ ୪୩୪) ପ୍ରକାଶ କରିଥିଲେ। ୨୦୦୯ରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ୮୭ ଓ ୨୦୧୦ରେ ଦ୍ବିତୀୟ ପର୍ଯ୍ୟାୟରେ ୬୬ ଏମିତି ମୋଟ ୧୬୩ ଜଣଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଜଣେ ହେଲେ ବିସ୍ଥାପିତଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ମିଳି ନଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ଆଜି ପର୍ଯ୍ୟନ୍ତ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ୬ର ଆର୍‌ପିଡିଏସି ବୈଠକ ବସିଛି। ବିସ୍ଥାପିତଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ତା’ ସତ୍ବେ ଆଜି ଯାଏ ବିସ୍ଥାପିତଙ୍କ ସମସ୍ୟାର ଯେମିତିକୁ ସେମିତି ରହି ଯାଇଛି।

ସମ୍ବନ୍ଧିତ ଖବର