ସଂପୂର୍ଣ୍ଣ ଥଇଥାନ ପରେ ବାସଚ୍ୟୁତ କରାଯାଉ : ନିରଞ୍ଜନ

କାନପୁର ପ୍ରକଳ୍ପ ବିସ୍ଥାପିତଙ୍କ ନିକଟରେ ପହଞ୍ଚିଲେ ପିସିସି ସଭାପତି

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବାସୁଦେବପୁର ଠାରେ ନିର୍ମାଣଧୀନ କାନପୁର ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ଥଇଥାନ ପାଇଁ ସରକାର ନିର୍ମାଣ କରିଥିବା ପୁନଃବାସ ଥଇଥାନ କଲୋନିରେ ନାହିଁ ମୌଳିକ ସୁବିଧା । ସରକାର ବିସ୍ଥାପନ ଓ ଥଇଥାନ ନିୟମ ୨୦୦୬କୁ ଠିକ ଭାବେ ପାଳନ କରି ନାହାନ୍ତି। ତେଣୁ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଥଇଥାନ କାର୍ଯ୍ୟ ସଂପୂର୍ଣ ନ କରିବା ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ବାସଚ୍ୟୁତ ନ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି । ବିସ୍ଥାପିତ ପୁନଃବାସ ଥଇଥାନ କଲୋନି ବୁଲି ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବା ପରେ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଏହି ଦାବିି ରଖିଛନ୍ତି ।

ଆଜି ଶ୍ରୀ ପଟ୍ଟନାୟକ ଚମକପୁର ବିସ୍ଥାପିତ ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମାଣ କରାଯାଇଥିବା ଆଙ୍ଗୁଳିଆ ପୁନଃବାସ ଥଇଥାନ କଲୋନି, ରେଭେନସାପୁର (କ) ଗ୍ରାମବାସୀଙ୍କୁ ଥଇଥାନା ପାଇଁ ନାରଦପୁର ଗ୍ରାମରେ ନିର୍ମାଣ କରାଯାଇଥିବା କ‌ଲୋନି, ରେଭେନସାପୁର (ଖ) ଓ ଧୋବାକୁଚୁଡା ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମିତ ଧୋବାକୁଚୁଡା କଲୋନି, ଶଙ୍କରପୁର ଓ ଧୋବାକୁଚୁଡା ଗ୍ରାମବାସୀ ପାଇଁ ନିର୍ମିତ ଶଙ୍କରପୁର କଲୋନି, ମୁରୁସୁଆଁ ଗ୍ରାମବାସୀଙ୍କୁ ଥଇଥାନ ପାଇଁ ନିର୍ମିତ ମୁକୁନ୍ଦପୁର କଲୋନି ଆଦି ବୁଲି ଦେଖିଥିଲେ। ଏହି ସମସ୍ତ ପୁନଃବାସ କଲୋନିରେ ପାନୀୟ ଜଳ, ରାସ୍ତାଘାଟ, ଶ୍ମଶାନ ଘାଟ, ପୋଖରୀ ନିର୍ମାଣ କରାଯାଇ ନ ଥିବା ବେଳେ ଗ୍ରାମର ଦେବାଦେବୀ ପୀଠ, ମନ୍ଦିର, ଠାକୁରାଣୀ ଶାଳଗୁଡିକୁ ଅଣାଯାଇ ନ ଥିବା ବିସ୍ଥାପିତମାନେ ପ୍ରକାଶ କରିଥିଲେ।

ସେହିପରି ଗୋବିନ୍ଦପୁର, ଦଡୁଆଁ ଓ ବିରିକଳା ଗ୍ରାମକୁ ଥଇଥାନ ପାଇଁ ପ୍ରକଳ୍ପ ପକ୍ଷରୁ ଚିହ୍ନଟ କରାଯାଇଥିବା ଧୁବୁଲାବେଡାରେ ଜାଗାର ଉନ୍ନତୀକରଣ କରାଯାଇନି କି ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯାଇ ନାହିଁ। ସରକାରଙ୍କ ପକ୍ଷରୁ କାନପୁର ବିସ୍ଥାପିତଙ୍କୁ ଥଇଥାନ ପାଇଁ ଏପରି ୧୨ଟି ପୁନଃବାସ ଥଇଥାନ କଲୋନି ନିର୍ମାଣ କରାଯାଇଛି । ସେଠାରେ ଘର ଡିହ ଆବେଦନ କରିଥିବା ୬୫୫ ଜଣ ବାସଚ୍ୟୁତ ପରିବାର ଥଇଥାନ ହେବେ। ମାତ୍ର ସରକାରଙ୍କ ଅବହେଳା ଯୋଗୁଁ ବିସ୍ଥାପନ ଓ ଥଇଥାନ ନିୟମ – ୨୦୦୬ କାର୍ଯ୍ୟକାରୀ କରାଯାଇ ନାହିଁ। ୨୦୦୬ ସର୍ଭେ ଅନୁଯାୟୀ ୧୪ଟି ବସ୍ଥାପିତ ଗ୍ରାମରୁ ୩୮୬୯ ଜଣ ବାସଚ୍ୟୁତ ପରିବାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଘର ୬୫୫ ଜଣ ଡିହ ଆବେଦନ କରିଥିଲେ। ଅବଶିଷ୍ଟ ୩୨୧୪ ଜଣ ସ୍ବଇଚ୍ଛାରେ ସହାୟତା ରାଶି ନେଇ ଥଇଥାନ ହୋଇଛନ୍ତି। ଏହି ବାସଚ୍ୟୁତ ପରିବାରଗୁଡ଼ିକ ୬୨ କ୍ଲଷ୍ଟର ସ୍ଥାନରେ ନିଜେ ଘର ନିର୍ମାଣ କରିଛନ୍ତି। ୧୦ ବର୍ଷରୁ ଅଧିକ ସମୟ ହେଲା ସେମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନଥିବା ଶ୍ରୀ ପଟ୍ଟନାୟକଙ୍କ ଆଗରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର