ଶ୍ମଶାନ ସ୍ଥାନକୁ ନେଇ ବିବାଦ: କବ୍‌ଜାକୁ ନେଇଗଲା ସିଆର୍‌ପିଏଫ୍ କ୍ୟାମ୍ପ!

ସାଧାରଣରେ ଅସନ୍ତୋଷ

ବଲାଙ୍ଗୀର: ସ୍ଥାନୀୟ ଶାନ୍ତିପଡ଼ା ନିକଟସ୍ଥ ଗୋଫାର୍ମ ପାଖରେ ରହିଥିବା ଶ୍ମଶାନ ସ୍ଥାନକୁ ସିଆର୍‌ପିଏଫ୍ କ୍ୟାମ୍ପ କବ୍‌ଜାକୁ ନେଇ ଯାଇଥିବା ଅଭିଯୋଗ ଉଠିଛି। କିଛି ଦିନ ହେଲା ସେ ନେଇ ଅଂଚଳବାସୀ ଓ ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷଙ୍କ ଭିତରେ ବିବାଦ ଲାଗି ରହିଛି। ଏନେଇ ଏବେ ଅସନ୍ତୋଷ ତେଜିବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଗତ ୫୦ ବର୍ଷ ଧରି ଶାନ୍ତିପଡ଼ା, କନ୍ଧପାଲିପଡ଼ା, ଲର୍କିପାଲି, ଲାଲଟିକ୍ରା, ଚନ୍ଦ୍ରଶେଖରନଗର ତଥା ସରକାରୀ ଆଇଟିଆଇ ପାଖାପାଖି ଅଂଚଳରେ ବସବାସ କରୁଥିବା ଲୋକେ ଏହି ଶ୍ମଶାନରେ ଶବଦାହ କରି ଆସୁଥିଲେ। କିନ୍ତୁ ସ୍ଥାନୀୟ ଗୋଫାର୍ମ ପରିସରରେ ଗଢ଼ି ଉଠିଥିବା ସିଆର୍‌ପିଏଫ୍ କ୍ୟାମ୍ପ ପକ୍ଷରୁ ଗତ ଦୁଇତିନି ବର୍ଷ ହେବ ଶ୍ମଶାନ ସ୍ଥାନକୁ ଅକ୍ତିଆର କରିନେବା ପରେ ସେଠାରେ ଶବଦାହ କରିବାକୁ ମନା କରି ଦିଆଯାଇଥିଲା। ପରେ ଶାନ୍ତିପଡ଼ା ଟାଇଗର୍ ୟୁଥ୍ କ୍ଲବ୍‌ର ଯୁବକମାନେ ଜିଲ୍ଲା ପ୍ରଶାସନକୁ ଜାଗାଟିଏ ପାଇଁ ଜଣାଇଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ମଶାନ ଘାଟ ପାଇଁ ଜାଗାଟିଏ ହସ୍ତାନ୍ତର କରାଯାଇ ନାହିଁ। ଆଖପାଖର ଲୋକେ ଅନନ୍ୟୋପାୟ ହୋଇ ସିଆର୍‌ପିଏଫ୍ କ୍ୟାମ୍ପ ନିକଟରେ ଥିବା ପୋଖରୀ ପାଖରେ ଶବଦାହ କରୁଥିବା ବେଳେ ଶୁକ୍ରବାର ‘ଏହି ସ୍ଥାନରେ ଶବଦାହ କରନ୍ତୁ ନାହିଁ’ ବୋଲି ଏକ ବୋର୍ଡ଼ ମରାଯାଇଥିବା ଦେଖିବାକୁ ମିଳିଛି।

ଏହି ବିଷୟକୁ ନେଇ ସ୍ଥାନୀୟ ଅଂଳଚରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଦେଇଛି। ଆଗାମୀ ଦିନରେ ସିଆର୍‌ପିଏଫ୍ କ୍ୟାମ୍ପ୍ ସାମ୍‌ନାରେ ସ୍ଥାନୀୟ ଅଂଚଳବାସୀ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ତଥା ସିଆର୍‌ପିଏଫ୍ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର