ଅବ୍ୟବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ: ୧୧୩ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୪୩

୫କି‌ମି ଦୂରରେ ରକ୍ତଭଣ୍ଡାର, ୫ବର୍ଷ ପରେ ବି ଆସିପାରିନି କେନ୍ଦ୍ରୀୟ ଔଷଧାଗାର ଓ ମାଇକ୍ରୋବାୟୋଲୋଜୀ କେନ୍ଦ୍ର

ଜୟପୁର: ଗତ ୫ବର୍ଷ ହେବ କୋରାପୁଟରୁ ଜୟପୁର –ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ ଜିଲା ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲା। ଆଶା ଥିଲା ଧାର୍ଯ୍ୟସଂଖ୍ୟକ ବିଶେଷଞ ଡାକ୍ତର ଓ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଏଠାରେ ଉପଲବ୍ଧ ହେବ । ତାହା ସଂପ୍ରତି ପୁସ୍ ହୋଇଯାଇଛି।  ଧାର୍ଯ୍ୟ ସଂଖ୍ୟକ ଫାରା ମେଡିକାଲ ଷ୍ଟାଫ ଡାକ୍ତର ଏବଂ ବିଶେଷଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନସିୟାନ, ଆଟେଣ୍ଡାଣ୍ଟ , ଫାର୍ମଶିଷ୍ଟ ଭଳି ବହୁ ପଦବୀ ଖାଲି ଦୀର୍ଘ ବର୍ଷ ଧରି ପୁରଣ ହିଁ ହେଉନି।

୫ବର୍ଷ ପରେ ବି କୋରାପୁଟରୁ କେନ୍ଦ୍ରୀୟ ଔଷାଧାଗାର ଓ ମାଇକ୍ରୋବାଇଓଲୋଜୀ କେନ୍ଦ୍ର ସହ ବହୁ ମୂଲ୍ୟବା‌ନ ଯନ୍ତ୍ରପାତି ଆଉ ଏଠାକୁ  ସ୍ଥାନାନ୍ତର ହୋଇପାରିନି। ଏପରିକି ୫କିମି ଦୂର ପୁରୁଣା ଡାକ୍ତରଖାନାରୁ ଏଠାକୁ ରକ୍ତଭଣ୍ଡାର ବି ସ୍ଥାନାନ୍ତର ହୋଇ ପାରିନି। ସୂଚନାଯୋଗ୍ୟ, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୧୧୩ଜଣ ଡାକ୍ତର ରହିବା ବଦଳରେ ଏବେ ଏଠାରେ କାର୍ଯ୍ୟରତ ରହିଛନ୍ତି ୪୨ଜଣ। ଯଦିଓ  ପ୍ରସୁତି ଓ ସ୍ତ୍ରୀ ବିଶେଷଞ, ଭେଷଜ, ସର୍ଜରୀ, ଚକ୍ଷୁ ଆଦି ବିଶେଷଞ ରହିଥିଲେ ହେଁ ନି‌ଶ୍ଚେତକ, ରେଡିଓଲୋଜୀ, କାର୍ଡିଆକ୍, ନ୍ୟୁରୋଲୋଜୀ ଭଳି ବହୁ ଜରୁରୀ ବିଶେଷଞ ପଦବୀ ଖାଲି ପଡ଼ିଛି। ୧୬୫ଜଣ ଷ୍ଟାଫ ନର୍ସ ରହିବା ସ୍ଥାନ‌ରେ ରହିଛନ୍ତି ମାତ୍ର ୬୫ଜଣ। ୨୦୨୧-୨୨ରେ ବର୍ହିବିଭାଗକୁ ୧ଲକ୍ଷ ୭୬ହଜାର ୪୯୧ଜଣ ରୋଗୀ ଆସିଥିବା ବେଳେ ୨୫ହଜାର ୪୪୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ୨୦୨୨-୨୩ରେ ୨ଲକ୍ଷ ୨୯ହଜାର ୧୬୩ଜଣ ବର୍ହିବିଭାଗ ଓ ୩୨ହଜାର ୧୭ଜଣ ଅନ୍ତଃବିଭାଗରେ ରହି ଚିକିତ୍ସାଧୀନ ହୋଇଥିଲେ।

୨୦୨୧-୨୨ରେ ୬୩୮୨ଜଣ ଓ ୨୦୨୨-୨୩ରେ ୬୦୯୪ଜଣ ରୋଗୀଙ୍କୁ କୋରାପୁଟ , ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫରାଲ କରାଯାଇଛି। ସହର ଠାରୁ ୫କିଲୋ ମିଟର ଦୂରରେ ଏହି ଡାକ୍ତରଖାନା ରହିଥିବାରୁ ଜରୁରୀ ସମୟରେ ସହରରୁ ଅଟୋ ଭଡ଼ା କରି ଆସିଲେ ଦେଢ଼ ଶହରୁ ୨ଶହ ଟଙ୍କା ନେଉଛନ୍ତି। ଏବଂ ସେୟରିଂ ଅ‌ଟୋ ଭଡ଼ା ବାବଦକୁ  ଜଣକ ପିଛା ୨୦ଟଙ୍କା ଲେଖାଏଁ ନେଉଛନ୍ତି। ଡାକ୍ତରଖାନାରେ ଆଉ ଗୋଟିଏ ବଡ ସମସ୍ୟା ହେଉଛି ବିଦ୍ୟୁତ ବିଭ୍ରାଟ। ଡିଏଚଏଚକୁ ନିରନ୍ତର ବିଦ୍ୟୁତ ସେବା ଯୋଗାଇବାକୁ ସରକାର ଦେଇଥିବା ନିର୍ଦେଶ ଏଠାରେ କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଛି। ସେଭଳି ରହିଥିବା ଡିଜି ସେଟ ଗୁଡିକ ବି ଡିଜେଲ  ଓ ବୈଷୟିକ କାରଣକୁ ନେଇ  ବହୁ ସମୟରେ ଠିକରେ  ଚାଳି ପାରୁନି। ଫଳରେ ଅନ୍ଧାରରେ ରୋଗୀଙ୍କୁ ହଇରାଣ ହରକତ ହେବାକୁ ପଡୁଛି।

ଡିଏଚଏଚ ପରିସରରେ ଏସଏନସିୟୁ, ଅସ୍ତ୍ରପ୍ରଚାର କକ୍ଷ ତଥା ଅନ୍ୟାନ୍ୟ ଜରୁରୀ ଯନ୍ତ୍ରପାତି ରହୁଛି। ଏପରିକି କିଛି ଜରୁରୀ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ଫ୍ରୀଜରେ ରହୁଛି। ଏସବୁକୁ ନିରନ୍ତର ବିଦ୍ୟୁତ ‌ସେବା ଯୋଗାଇବା ଜରୁରୀ। ଡାକ୍ତରଖାନା ଆରମ୍ଭର ୫ବର୍ଷ ପରେ ବି ଏହା ପରିସରରେ ପାଣ୍ଡି ନଥିବାରୁ ଭୟରେ କର୍ମଚାରୀ ମାନେ କାମ କରୁଛନ୍ତି। କେବଳ ରୋଗୀକଲ୍ୟାଣସମିତି ବୈଠକରେ ଆଲୋଚନା ପରେ ଯଥା ପୂର୍ବଂକୁ ତଥା ପରଂ। ଜିଲ୍ଲାପ୍ରଶାସନ, ଲୋକପ୍ରତିନିଧି, ସାଂସଦ, ବିଧାୟକ ଆଦି ଏ ଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ନୂଆ ୭ମହଲା ଡାକ୍ତରଖାନା ଓ କ୍ବାର୍ଟର ନିର୍ମାଣାଧୀନ ରହିଥିବା ବେଳେ ଯେଉଁ ସମସ୍ୟା କଥା ଉଠିଲେ ପ୍ରଶାସନ ଏହାର ନିର୍ମାଣ ସରିବା ପରେ ହିଁ ସମାଧାନ ହେବ ବୋଲି କହୁଛନ୍ତି। ଏହାରି ମଧ୍ୟରେ ଯଦି କିଛି ଅଘଟଣ ହେଲେ କିଏ ଦାୟୀ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

 

 

 

 

 

ସମ୍ବନ୍ଧିତ ଖବର