ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ସଭାଗୃହଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂହଙ୍କ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ବ୍ଲକ୍‌ ପ୍ରଶାସନର ସମସ୍ତ ଅଧିକାରୀ, କର୍ମଚାରୀ, ବ୍ଲକ୍‌ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତଥିଲେ। ଶିବିରରେ ଭୀମପାହାଡ଼ ମହୋତ୍ସବ କମିଟି ଭୀମପାହାଡ଼ ଠାରେ ପୁଲିସ ଫାଣ୍ଡି ଖୋଲିବାକୁ ଦାବି କରିଥିଲା।

Advertisment

ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ବ୍ଲକ୍‌ର ୨୬ ପଞ୍ଚାଯତରେ ମାତ୍ର ୧୭ ଜଣ ଜିଆର୍‌ଏସ୍‌ ଥିବା ଅଭିଯୋଗ କରି ଆଉ ୯ଜଣଙ୍କୁ ଶୀଘ୍ର ନିଯୁକ୍ତି କରିବାକୁ ଦାବି କରିଥିଲେ। ଉଡ଼ାର ପଞ୍ଚାୟତକୁ ଭାଗ କରି ନୂଆ ପଞ୍ଚାୟତ ଗଠନ କରିବାକୁ ଦାବି ହୋଇଥିଲା। ଶିବିରରେ ପଞ୍ଜୀକୃତ ୭୬ଟି ଅଭିଯୋଗ ମଧ୍ୟରୁ ୫୯ଟି ବ୍ୟକ୍ତିଗତ ଓ ୧୭ଟି ସାମୂହିତ ରହିଥିଲା। ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସଇନ୍ତଳା ବ୍ଲକ୍‌ ବାବୁକେଲଗାଁ ଗ୍ରାମର ଦୁଖୀଜନ ସେଲମା, ଅହଲ୍ୟା ସେଲମା, ଦେଓଗାଁ ବ୍ଲକ୍‌ ଗଇଲପିଟା ଗାଁର ପ୍ରାଣବନ୍ଧୁ ବିଶି, କଛାରପାଲି ଗାଁର କପିଳ କୁମ୍ଭାରଙ୍କୁ ଆର୍ଥିକ ସହାୟତା ଅନୁମୋଦନ କରାଯାଇଥିଲା। ପରେ ଜିଲ୍ଲାପାଳ ୫-ଟିରେ ରୂପାନ୍ତରିତ ହେଉଥିବା ବନ୍ଧପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ।