ଅନାହାରରେ ଥିବା ଅନାଥ ପିଲାଙ୍କୁ ମିଳିଲା ସହାୟତା: ମା’ର ଦଶାହ ପରେ ଶିଶୁ କଲ୍ୟାଣ ଅନୁଷ୍ଠାନରେ ରହିବେ ୩ ଶିଶୁ

କୋରାପୁଟ: ଦଶମନ୍ତପୁର ବ୍ଲକର ବଦଳିକୁଡୁମ ଗାଁରେ ମା’ର ମୃତ୍ୟୁ ପରେ ବୁଧବାର ଅପରାହ୍ଣ ଠାରୁ ଭୋକରେ ଥିବା ୩ ଅନାଥ ଶିଶୁଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ମିଳିଛି। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି। ଜିଲ୍ଲା ରେଡକ୍ରସ୍‌ ପକ୍ଷରୁ ୧୦ ହଜାର ଟଙ୍କା ଓ ୨୦ କେଜି ଚାଉଳ ଦିଆଯାଇଛି। ସେହିପରି ମା’ର ଦଶାହ ପରେ ୩ ପିଲାଙ୍କୁ ଆଣି ଶିଶୁ କଲ୍ୟାଣ ଅନୁଷ୍ଠାନରେ ରଖାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ ମା’ର ମୃତ୍ୟୁ ପରେ ତିନି ଜଣ ଅନାଥ ପିଲାଙ୍କୁ ବୁଧବାର ଅପରାହ୍ନ ପରଠାରୁ ଖାଇବାକୁ ମିଳି ନ ଥିଲା। ବ୍ଲକ ମୁଖ୍ୟାଳୟ ନିକଟ ବଦଳିକୁଡୁମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ତିନି ଅନାଥଙ୍କ ମା’ ବୁଧବାର ସେମାନଙ୍କୁ ଘରେ ଛାଡି ଜଙ୍ଗଲକୁ କାଠ ଆଣିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ମାତୃହରା ପିଲାମାନେ ମା’ଙ୍କୁ ହରାଇବାର ୨ ବର୍ଷ ପୂର୍ବରୁ ବାପାଙ୍କୁ ହରାଇ ସାରିଛନ୍ତି। ସୂତ୍ର ଅନୁସାରେ ଅନାଥ ପିଲାମାନଙ୍କୁ ପଡୋଶୀ ବୁଧବାର କିଛି ଖାଦ୍ୟ ଦେଇଥିଲେ। ମାତ୍ର ଆଜି ସେମାନଙ୍କୁ କିଛି ଖାଦ୍ୟ ମିଳି ନ ଥିଲା। ସବୁଠାର କ୍ଷୋଭର ବିଷୟ ଯେ, ୧୦ ବର୍ଷର ଝିଅ ଓ ତା’ର ୫ ଓ ୨ ବର୍ଷିଅ ଭାଇକୁ ଅଙ୍ଗନବାଡ଼ିରୁ ମଧ୍ୟ ଖାଇବାକୁ ଦିଆଯାଇ ନ ଥିଲା।

ସମ୍ବନ୍ଧିତ ଖବର