କୋଟିଆରେ ଜିଲ୍ଲା ପ୍ରଶାସନ: ସାମଗ୍ରିକ ବିକାଶ ନେଇ ପ୍ରଶାସନର ପ୍ରତିଶ୍ରୁତି, ଭତ୍ତା ବଣ୍ଟନ ଓ ମାଗଣା ସ୍ବାସ୍ଥ୍ୟ ଶିବିର

କୋରାପୁଟ: କୋଟିଆବାସୀଙ୍କୁ ପ୍ରଭାବିତ କରି ନିଜ ସପକ୍ଷରେ ରଖିବାକୁ ପୁଣି ଥରେ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆଠାରେ ଜିଲ୍ଲାସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ବୁଝାଯାଇଛି। ଏହା ସହିତ ସ୍ବାସ୍ଥ୍ୟ ଶିବିର କରାଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଔଷଧ ବଣ୍ଟନ କରାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ବିଭିନ୍ନ ବିକାଶମୂଳକ କାମ ଚାଲିଥିଲାବେଳେ ଲୋକଙ୍କୁ ସରକାରୀ ଯୋଜନା ସଂପର୍କରେ ଅବଗତ କରାଇବା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉନ୍ନୟନ ପ୍ରଦର୍ଶନୀ କରାଯାଇଥିଲା। ଏଥି‌ରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ଯୋଜନାରୁ ସେମାନେ କେମିତି ଲାଭ ପାଇବେ ସେଥିନେଇ ସୂଚନା ଦିଆଯାଇଥିଲା। ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ପ୍ରବୀର କୁମାର ନାୟକ ଯୋଗ ଦେଇ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। କୋଟିଆ ଅଂଚଳର ସାମଗ୍ରୀକ ବିକାଶ ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। କିଛି ଦିନ ହେଲା କୋଟିଆ ବିକାଶ ରାସ୍ତାରେ ଆଗକୁ ବଢୁଥିଲାବେଳେ ଭବିଷ୍ୟତରେ ଏହା ଅଧିକ ତ୍ବରାନ୍ବିତ ‌ହେବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଭବାନୀଶଙ୍କର କାଲୋ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃ୍ଷ୍ଣ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମକରନ୍ଦ ବେଉରା, ପଟାଙ୍ଗୀ ବିଡିଓ ମୋନାଲିସା ଦେବତା, ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା ପ୍ରମୁଖ ଯୋଗ ଦେଇ ସେମାନଙ୍କ ବିଭାଗ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ କୋଟିଆରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଅଂଚଳର ଶତାଧିକ ଲୋକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତରମାନ‌େ ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଔଷଧ ପ୍ରଦାନ କରିଥି‌ଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଲୋକମାନେ ଏହି ଶିବିରରୁ ଲାଭ ଉଠାଇଥିଲେ। ଏହା ସହ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଲୋକଙ୍କୁ ଯୋଜନା ସଂପର୍କରେ ବୁଝାଯିବା ସହ ଏଥିରୁ କେମିତି ଲାଭ ନେଇ ହେବ ସେ ସଂପର୍କରେ କୁହାଯାଇଥିଲା। ଲୋକମାନଙ୍କୁ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ସହାୟତା ବଣ୍ଟନ କରିଥିଲେ ଅଧିକାରୀ। ବିଭିନ୍ନ ଯୋଜନା ପାଇଁ ଲୋକଙ୍କ ନାମ ପଂଜୀକରଣ ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର