ରାୟଗଡା: ରାୟଗଡ଼ା ଜିଲ୍ଲାରେ ଗତ ଦୁଇମାସ ହେଲାଣି ଚର୍ଚ୍ଚାରେ ରହିଥିବା କୁମାରଢାମୁଣି ଶାଖା ଡାକ ଘରେ କାର୍ଯ୍ୟରତ ଡାକପାଳଙ୍କ ଅର୍ଥ ହେରଫେର ଘଟଣା ଥମିବାର ନାମ ନେଉ ନାହିଁ। ତାଙ୍କ ନାମରେ ପୁଳା ପୁଳା ଅଭିଯୋଗ ଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପରକୁ ଆଙ୍ଗୁଠି ଉଠୁଛି। ଏ ନେଇ କେହି ମୁଁହ ଖୋଲୁନଥିବା ବେଳେ ନିଜ ବିଭାଗର ନିଆଁକୁ ଅଣ୍ଟିରେ ଲୁଚାଇବା ଭଳି ମନେ ହେଉଛି। ସୂଚନା ମୁତାବକ ୫୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେରଫେର କରିଥିବା ଉକ୍ତ ଶାଖା ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ନାମରେ ଅଭିଯୋଗ ହୋଇଥିଲା ସେତେବେଳେ ବିଭାଗ ତରଫରୁ ତାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଘଟଣାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାରୁ ସେହି ଅଭିଯୋଗକୁ ଭିତ୍ତିକରି ସୋମବାର ଜିଲ୍ଲା ପ୍ରଶାସନର ତଦନ୍ତ ଅଧିକାରୀ ଭାବେ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଧୃବ କୁମାର ନାୟକ କୁମାରଢାମୁଣି ପଞ୍ଚାୟତ କାର୍ଯ୍ୟାଳୟରେ  ତଦନ୍ତ ଆରମ୍ଭ କରି ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଥିଲେ। ଅଭିଯୋଗକାରୀ ହୃଷୀକେଶ ଲାବଲା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତା  ସ୍ୱର୍ଗତଃ ଦାମୋଦର ଲାବଲାଙ୍କ ମୃତ୍ୟୁପରେ ଆକାଉଣ୍ଟରୁ ଜାଲ ଦସ୍ତଖତ କରି ୨୯ ହଜାର ଟଙ୍କା ଆତ୍ମସାତ କରାଯାଇଛି।

Advertisment

ସେହିପରି ତାଙ୍କ ମାଆଙ୍କ ଆକାଉଣ୍ଟରୁ ୬୫ ହଜାର ଟଙ୍କା ଉଠାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣି ଜିଲ୍ଲା ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଲିଖିତ ଆକାରରେ ବୟାନ ଦେଇଛନ୍ତି। ତଥାପି ବିଭାଗୀୟ ଅଧିକାରୀ ବର୍ତ୍ତମାନ ଯାଏ ଶାଖା ପୋଷ୍ଟମାଷ୍ଟର ମୁକେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଡାକ ବିଭାଗର ପାରିବା ପଣିଆ ପଦାରେ ପକାଇଛି। ଏହିଭଳି ଅନେକ ନିରୀହ ଆଦିବାସୀ ଲୋକଙ୍କ ଅର୍ଥ ହଡ଼ପ କରିଥିଲେ ମଧ୍ୟ ବାହୁବଳୀ ଭାବେ ପୋଷ୍ଟ ମାଷ୍ଟର ସମସ୍ତଙ୍କ ପାଟି ଚୁପ୍ କରିବାରେ ସଫଳ ହୋଇଥିବା ଅଭିଯୋଗ କରାଯାଇଛି। ସେହିଭଳି ରାମଚନ୍ଦ୍ର ପିଡ଼ିକିକାଙ୍କ ଝିଅ ତୁଳସୀ ପିଡିକିକା ଆକାଉଣ୍ଟରେ ୩୦ହଜାର ଟଙ୍କା ମଧ୍ୟ ଜାଲ ଭାବେ ଏନଏସି ଖୋଲି ଟଙ୍କା ହଡପ କରାଯିବା ଘଟଣାର ଅଭିଯୋଗ ପରେ ସେହି ବ୍ୟକ୍ତିଙ୍କୁ ଲକ୍ଷାଧିକ ଅର୍ଥ ଦେଇ ପ୍ରମାଣ ନଷ୍ଟ କରିବା ଘଟଣା ଗାଁରେ ଆଲୋଚନା ହେଉଛି। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଆମକୁ ଅଭିଯୋଗକାରୀ ମାନେ କୌଣସି ପାସବୁକ ଦେଖେଇ ନ ପାରିବାରୁ ତଦନ୍ତ ଅଧାପନ୍ତରିଆ ରହିଛି। ପୁଣି ଥାନାଧିକାରୀଙ୍କ ଠାରୁ ଅଭିଯୋଗକାରୀଙ୍କ ଏତଲା ଆଣି ଆମେ ତଦନ୍ତ ଜାରି ରଖିବୁ ବୋଲି କହିଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି ଏତେ ବଡ଼ କେଳେଙ୍କାରୀକୁ ଚାପାଇ ଦେବାକୁ ଉଦ୍ୟମ କରିବା ବୁଦ୍ଧିଜୀବୀ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।